ଲଗିଲା ଚକ୍ର, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ତେଜନା: କପିଳେଶ୍ୱର ମନ୍ଦିରର ଚୂଡ଼ାରୁ ତ୍ରିଶୂଳ ଚୋରି ଘଟଣା

ପୁରୁଣା ଭୁବନେଶ୍ୱର: କପିଳେଶ୍ୱର ମନ୍ଦିରରେ ତ୍ରିଶୂଳ ଚୋରିକୁ ନେଇ ଚର୍ଚା ଏବେ ଜୋର୍‌ ଧରିଛି। ତ୍ରିଶୂଳ ସ୍ଥାନରେ ଚକ୍ର ଲଗାଯିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ସଂପର୍କରେ ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ ଓ ଇନ୍‌ଟାକ୍‌ ନିକଟରେ କିଛି ଖବର ନଥିବା ବେଳେ ତ୍ରିଶୂଳ ଚୋରି ସଂପର୍କରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ତେବେ ତ୍ରିଶୂଳକୁ ମନ୍ଦିରରେ ରଖାଯିବା ସହ ବିଦ୍ଧି ଅନୁଯାୟୀ ଚକ୍ର ଲାଗାଯାଇଛି ବୋଲି ସେବାୟତମାନେ କହିଛନ୍ତି।

ସୂଚନା ଅନୁଯାୟୀ କପିଳେଶ୍ୱର ମନ୍ଦିରରେ ଦୁଇ ସେବାୟତଙ୍କ ବିବାଦ ସମାଧାନ ହୋଇ ନଥିବାରୁ ଏବେ କେବଳ ମଲିଆ ସେବାୟତ ସେବା କରୁଛନ୍ତି। କିଛି ଦିନ ହେଲା ମନ୍ଦିର ପରିସରରେ ଥିବା ଦେବୀ ମନ୍ଦିରର ଚୂଡ଼ାରେ ଥିବା କଳସରେ ଫାଟ ଦେଖା ଯାଇଥିଲା। ତେବେ ମରାମତି ସମୟରେ ଏଠାରେ ଲାଗିଥିବା ତ୍ରିଶୂଳ ବଦଳରେ ଚକ୍ର ଲାଗାଯିବା ପାଇଁ କିଛି ସେବାୟତ କହିଥିଲେ। ଏନେଇ ମଲିଆ ସେବାୟତଙ୍କ ପକ୍ଷରୁ ଗବେଷକଙ୍କ ମତ ଲୋଡ଼ାଯାଇଥିଲା। ବିଭିନ୍ନ ପୁସ୍ତକକୁ ଅନୁଧ୍ୟାନ କରାଯିବା ପରେ ସେଠାରେ ତ୍ରିଶୂଳ ବଦଳରେ ଚକ୍ର ଲାଗଯିବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ନିଯୋଗର ମୁରବି ଅରବିନ୍ଦ ମଲିଆ କହିଛନ୍ତି। ଶ୍ରୀ ମଲିଆଙ୍କ କହିବା ଅନୁଯାୟୀ ୧୪୦୦ମସିହାରେ ଏହି ମନ୍ଦିରରେ କିଛି ନଥିଲା। ପରବର୍ତୀ ସମୟରେ ସେଠାରେ ତ୍ରିଶୂଳ ଲଗାଯାଇଥିଲା। ତେବେ ଏହା ମା’ ବୈଷ୍ଣବୀ ଦେବୀଙ୍କ ମନ୍ଦିର ହୋଇଥିବାରୁ ଏବଂ ଏହି ତ୍ରିଶୂଳ କଳଙ୍କି ଲାଗିଥିବାରୁ ଏହାକୁ କଢ଼ା ଯାଇ ମନ୍ଦିରରେ ରଖାଯାଇଛି। ଯାହାର ବଜାର ମୂଲ୍ୟ ଏବେ ପ୍ରାୟ ୬୦ଟଙ୍କା ହେବ। ୨ଦିନ ମଧ୍ୟରେ ବାଳକାଟିରୁ ଅଷ୍ଟଧାତୁ କାରିଗରଙ୍କୁ ଯୋଗାଯୋଗ କରାଯାଇ ଅଷ୍ଟଧାତୁର ଚକ୍ର ତିଆରି ହୋଇ ଲଗାଯାଇଛି ବୋଲି ଶ୍ରୀ ମଲିଆ କହିଛନ୍ତି। ତେବେ ଏନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ରାଜ୍ୟ ଦେବୋତ୍ତର ବିଭାଗ ଓ ଇନ୍‌ଟାକ୍‌ର ଅଧିକାରୀମାନେ କିଛି ଜାଣି ନଥିବା କହିଛନ୍ତି। ତେବେ ହଠାତ୍‌ ତ୍ରିଶୂଳ ବଦଳରେ ଚକ୍ର ଦେଖାଯିବାକୁ ନେଇ ଏହା ଚୋରି ହୋଇଯାଇଥିବା ପ୍ରଚାର ଜୋର ଧରିଥିଲା। ଘଟଣାକୁ ନେଇ ଗତକାଲି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ଵରେ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଥିଲା। ଆସନ୍ତା କାଲି ମଞ୍ଚ ପକ୍ଷରୁ ରାଜ୍ୟ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଭେଟିବ ବୋଲି କୁହାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ଗବେଷକଙ୍କ କହିବା ଅନୁଯାୟୀ ମା’ଙ୍କ ମନ୍ଦିରରେ ଉଭୟ ତ୍ରିଶୂଳ ଓ ଚକ୍ର ଉଭୟ ଲାଗିଥାଏ। ସେହିପରି ଗବେଷକ ପ୍ରଫେସର ରାଜକିଶୋର ମିଶ୍ର କୁହନ୍ତି ମା’ଙ୍କ ମନ୍ଦିରରେ ଚକ୍ର ଲାଗିବାର ପରମ୍ପରା ରହିଛି। ତେବେ ଏନେଇ ମନ୍ଦିରର ଖୁଣ୍ଟିଆ ସେବାୟତଙ୍କୁ ପଚାରିବାରୁ ସେମାନେ ଏ ସମ୍ପର୍କରେ କିଛି କହିବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର