ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ପାଇଲଟ୍‌ଙ୍କ ବିରୋଧରେ ଯୌନଉତ୍ପୀଡ଼ନ ମାମଲା ଆଗତ କଲେ କେରଳୀ ଏୟାର୍‌ ହୋଷ୍ଟେସ୍‌

ତିରୁବନନ୍ତପୁରମ: ଦୁଇ ଜଣ କ୍ୟାବିନ୍‌ କ୍ରୁ’ ସଦସ୍ୟା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଗତ କରିବାରୁ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ଜଣେ ପାଇଲଟ୍‌ ଅସୁବିଧାରେ ପଡ଼ି ଯାଇଛନ୍ତି।

କ୍ୟାବିନ୍‌ କ୍ରୁ ସଦସ୍ୟା ଫାଇଲ୍‌ କରିଥିବା ଅଭିଯୋଗ ଭିତ୍ତିରେ ସିଟି ପୁଲିସ ସେ ପାଇଲଟ୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଛି। ଅନ୍ୟ ଜଣେ ପୂର୍ବତନ କ୍ୟାବିନ୍‌ କ୍ରୁ ସଦସ୍ୟା ପୁଲିସକୁ ଦେଇଥିବା ବିବୃତିରେ କହିଛନ୍ତି ଯେ ଉକ୍ତ ପାଇଲଟ୍‌ ତାଙ୍କ ପ୍ରତି ମଧ୍ୟ ସେଭଳି କଦର୍ଯ୍ୟ ଆଚରଣ ପ୍ରଦର୍ଶନ କରିଥିଲେ।

ବାଲିୟାତୁରା ପୁଲିସ କହିବା ଅନୁସାରେ, ଅଭିଯୋଗ ଆଧାରରେ ଗତ ମାସରେ ମନୋଜ କୁମାର ନାମଧ୍ୟେୟ ସେ ପାଇଲଟ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଅକ୍ଟୋବର ୪ ତାରିଖ ଦିନ ଏଫ୍‌ଆଇଆର୍‌ ଫାଇଲ୍‌ କରାଯାଇଥିଲା।

ମାମଲାର ତଦନ୍ତ ଚାଲିଛି। ଆମେ କେତେକ କର୍ମଚାରୀ ଏବଂ ପୂର୍ବତନ କର୍ମଚାରୀଙ୍କ ବୟାନ ରେକର୍ଡ କରି ସାରିଛୁ। ପୀଡ଼ିତା କହିଛନ୍ତି ଯେ ଯୌନ ଅପକର୍ମରେ ତାଙ୍କୁ ସହଯୋଗ କରୁ ନ ଥିବା କାରଣରୁ ୨୦୦୭ ମସିହାରୁ ସେ ବହୁ ବାର ପାଇଲଟଙ୍କ ଉତ୍ପୀଡ଼ନର ସରବ୍ୟ ହୋଇଛନ୍ତି।

ସେପ୍ଟେମ୍ବର ୧୮, ୨୦୧୭ ଦିନ ଉଡ଼ନ୍ତା ବିମାନରେ ସେ ପାଇଲଟ୍‌ ତାଙ୍କୁ ଆଶାଳୀନ ଭାଷାରେ ଗାଳିଗୁଲ୍‌ କରିବା ସହ ଅଶ୍ଳୀଳ ଇଙ୍ଗିତ ମଧ୍ୟ ଦେଇଥିଲେ। ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ମଧ୍ୟ ପାଇଲଟଜଣକ ଧମକ ଦେଇଥିଲେ ବୋଲି ବିମାନ ପରିଚାରିକା ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର