ଝାଡ଼ଖଣ୍ଡରୁ ଯୁବକ ଗିରଫ: ପୁଣି ସୋସିଆଲ ମିଡିଆରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ସଂପୃକ୍ତ ଛାତ୍ରୀଙ୍କ ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଗିରଫ କରିଛି। ତା ନାଁ ଅମିତ ଜଶଓ୍ଵାଲ। ଘର ଝାଡ଼ଖଣ୍ଡର ଦେଓ୍ଵଘରର ରାମମନ୍ଦିର ରୋଡ୍‌ କୋଇଲା ଡିପୋରେ। ପୁଲିସ ତା ନିକଟରୁ ଅଶ୍ଳୀ, ଫଟୋ ଓ ଭିଡିଓ ସୁଟିଂ ହୋଇଥିବା ମୋବାଇଲ୍‌ ଫୋନ୍‌ ଜବତ କରିଛି।

ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଭରତ ସାହୁଙ୍କ ସୂଚନା ଅନୁଯାୟୀ, ଅମିତ କଟକରୋଡ୍‌ ବୁଦ୍ଧେଶ୍ୱରୀ କଲୋନିରେ ଥିବା ଏକ କୋରିୟର୍‌ କମ୍ପାନିରେ କାମ କରୁଥିଲା। ଏହି ସମୟରେ ବୁଦ୍ଧେଶ୍ୱରୀ ଅଞ୍ଚଳର ଜଣେ ଛାତ୍ରୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅମିତ ଛାତ୍ରୀଙ୍କ ସହିତ ବିତାଇଥିବା କେତେକ ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ସୁଟିଂ କରିଥିଲା। ପରେ କୌଣସି କାରଣ ବଶତଃ ନାବଳିକାଙ୍କ ସହିତ ଅମିତାଙ୍କ ପ୍ରେମ ସମ୍ପର୍କରେ ବିଚ୍ଛେଦ ପଡ଼ିଥିଲା। ଅମିତ ଭୁବନେଶ୍ୱର ଛାଡି ଦେଓ୍ଵଘର ଚାଲି ଯାଇଥିଲା। ସେଠାରେ ସେ ଛାତ୍ରୀଙ୍କ ନାଁରେ ଏକ ନକଲି ଫେସବୁକ୍‌ ଆଇଡି ଖୋଲିଥିଲା। ସେହି ଫେସବୁକ୍‌ରେ ଅମିତ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସେୟାର କରି ଦେଇଥିଲା। ଛାତ୍ରୀ ଜଣକ ଏହା ଜାଣିବା ପରେ ନଭେମ୍ବର ୧୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଅମିତକୁ ଖୋଜିବା ଆରମ୍ଭ କରିଥିଲା। ବୁଧବାର ଲକ୍ଷ୍ମୀସାଗର ଥାନାର ଏକ ପୁଲିସ ଟିମ୍‌ ସେଠାରେ ଦେଓ୍ଵଘରରେ ଅମିତଙ୍କ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର