ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି: ସ୍ଥାନୀୟ ଡୁମୁଡୁମା ହାଉସିଂବୋର୍ଡ କଲୋନି ଅଞ୍ଚଳରୁ ଜଣେ ୧୪ବର୍ଷର ନାବାଳିକାକୁ ଭଲ ପାଇବାର ବାହାନା କରି ଅପହରଣ କରି ନେଇଥିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିିଯୁକ୍ତ ହେଲେ ବାଲେଶ୍ୱର ସଦର ଥାନା ବାଙ୍କତରା ଗାଁର ଗୌରୀଶଙ୍କର ଜେନା ଓରଫ୍‌ ବିନୋଦ (୨୫)। ଜାମିନ୍‌ ନାମଞ୍ଜୁର ହେବାରୁ ବିନୋଦକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ବିନୋଦ ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ରହୁଥିବା ଭଉଣୀଙ୍କ ଘରକୁ ଯିବା ଆସିବା କରିବା ଭିତରେ ପଡ଼ୋଶୀ ଘରର ନାବାଳିକାକୁ ପ୍ରେମରେ ଫସାଇ ଦେଇଥିଲା। ଗତ ସପ୍ତାହରେ ବିନୋଦ ଉକ୍ତ ନାବାଳିକାକୁ ବିବାହ କରିବାର ପ୍ରଲୋଭନ ଦେଖାଇ ଘରୁ ଅପହରଣ କରି ନେଇଥିଲା। ଏ ନେଇ ନାବାଳିକାର ବାପା ମା’ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିନୋଦକୁ ଠାବ କରିବା ପାଇଁ ଉଦ୍ୟମ କରିଥିଲା। ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ବାଲେଶ୍ୱର ଜିଲ୍ଲା ପୁଲିସ ସହାୟତାରେ ରେମୁଣା ଥାନା ଅଞ୍ଚଳରେ ଚଢ଼ଉ କରି ବିନୋଦକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର