ନାବାଳିକାଙ୍କୁ ଟେକିନେଲେ ଭଡ଼ାଟିଆ, ଝାନସ୍‌ୀ ଚାଲାଣ ସନ୍ଦେହ

ଭୁବନେଶ୍ୱର: ଘରଭଡ଼ା ମାଗିଲେ ବୋଲି ନାବାଳିକା କନ୍ୟାଙ୍କୁ ଟେକି ନେଇଛି ଭଡ଼ାଟିଆ। ପୂର୍ବରୁ ଝାନ୍‌ସୀରେ ବିକ୍ରି କରିଦେବ ବୋଲି ଚେତାବନୀ ଦେଇଥିବାରୁ ଏବେ ପରିବାରବର୍ଗଙ୍କ ନିଦ ହଜିଛି। ଏ ନେଇ ପରିବାରବର୍ଗଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୁଲିସ୍‌ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତର ପତ୍ତା ପାଇ ନାହିଁ। ଅନ୍ୟପଟେ ଅଭିଯୁକ୍ତ ସପରିବାର ଫେରାର ଥିବାରୁ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଘଟଣା ଭରତପୁର ସନ୍ତୋଷୀ ନଗରରେ ଘଟିଛି। ଅଭିଯୋଗକାରିଣୀଙ୍କ ନଣନ୍ଦଙ୍କ ଘରେ ରାଜୁ ଗୁରୁ ନାମକ ଜଣେ ଯୁବକ ସପତ୍ନୀକ ଭଡ଼ା ରହୁଥିଲେ। କିଛି ଦିନ ହେବ ସେ ଭଡ଼ା ଦେବାରେ ଖିଲାପ କରିଥିଲେ। ଏଣୁ ନଣନ୍ଦଙ୍କ ପାଇଁ ଭାଉଜ (ଅଭିଯୋଗକାରିଣୀ) ରାଜୁକୁ ଭଡ଼ା ମାଗିଥିଲେ। କାହିଁକି ହଇରାଣ କରୁଛ ବୋଲି କହିବାରୁ ରାଜୁ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ। ଉଭୟ ରାଜୁ ଓ ପତ୍ନୀ ଅଭିଯୋଗକାରିଣୀଙ୍କ ସହ ଝଗଡ଼ା କରିଥିଲେ। ସେତେବେଳେ ଝିଅକୁ ଟେକି ନେଇ ଝାନ୍‌ସୀରେ ବିକି ଦେବେ ବୋଲି ଧମକ ଦେଇଥିଲେ। ଏହି ଘଟଣାର ଦୁଇ ଦିନ ପରେ ନାବାଳିକା କନ୍ୟା ନିଖୋଜ ହୋଇ ଯାଇଥିଲା। ନଣନ୍ଦଙ୍କ ଘରେ ଭଡ଼ା ରହୁଥିବା ରାଜୁକୁ ଖୋଜିବାକୁ ଯିବା ବେଳେ ଉଭୟ ପତ୍ନୀ-ପତି ଘରେ ନଥିଲେ କି ରାତିରେ ବି ଫେରି ନଥିଲେ। ଏଣୁ ସନ୍ଦେହ ଦୃଢ଼ ହେବାରୁ ଥାନାରେ ଅଭିଯୋଗ ହୋଇଛିି। ପୁଲିସ୍‌ ମାମଲା ରୁଜୁ କରିବା ସହ ଅଭିଯୁକ୍ତର ମୋବାଇଲ ଫୋନ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର