ଆଦିବାସୀ ଯୁବତୀଙ୍କୁ ରାସ୍ତାରୁ ଉଠାଇନେଲେ

ପିସିଆର୍‌କୁ ଖାତିର କଲେନି

ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ସାଢ଼େ ନ’ଟା ବେଳେ ସହିଦନଗର ଥାନା ଅଧୀନ ସୈନିକ ସ୍କୁଲ୍‌ ଭିଏସ୍‌ଏସ୍‌ ନଗର ଫାଟକ ନିକଟରୁ ଜଣେ ଆଦିବାସୀ ଯୁବତୀଙ୍କୁ କିଛି ଯୁବକ ଏକ କାର୍‌ରେ ଅପହରଣ କରି ନେଇଛନ୍ତି। ଯୁବକମାନେ ଯୁବତୀ ଜଣଙ୍କୁ ଟାଣି ଟାଣି କାର୍‌ ଭିତରେ ପୂରାଉଥିବା ବେଳେ ସେଠାରେ ପୂର୍ବରୁ ରହିଥିବା ଏକ ପାଟ୍ରୋଲିଂ ପିସିଆର୍‌ ଭ୍ୟାନ୍‌ର ପୁଲିସ୍‌ ଘଟଣାକୁ ଦେଖୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି। କିଛି ଯୁବକ ଓ ଯୁବତୀ ଅପହରଣ ହୋଇଥିବା ଯୁବତୀଙ୍କ ବିଷୟରେ ପଚାରିବାରୁ ପିସିଆର୍‌ ଆଖପାଖ ଅଞ୍ଚଳ ଖୋଜାଖୋଜିକରି ନିରାଶ ହୋଇଥିଲା। ନିକଟସ୍ଥ ଏକ ପଡ଼ିଆରେ ଆଦିବାସୀମାନଙ୍କ ଯାତ୍ରା ଚାଲିଥିବା ବେଳେ ଯୁବତୀ ଜଣଙ୍କ ତାଙ୍କ ସାଙ୍ଗମାନଙ୍କ ସହ ଯାତ୍ରା ଦେଖିବା ପାଇଁ ଯାଉଥିଲେ। ସୈନିକ ସ୍କୁଲ୍‌ ଛକରେ ଯୁବତୀ ଜଣଙ୍କ ଏକ ଅନ୍ଧାରିଆ ସ୍ଥାନରେ ଶୌଚ ପାଇଁ ରହିଯିବାରୁ ତାଙ୍କୁ ଦୁଇ ଜଣ ଯୁବକ ଏକ ନାଲି ରଂଗର କାର୍‌ରେ ଭର୍ତି କରି ରେଲ୍‌େଓ୍ଵ କଲୋନି ଅଡ଼େ ନେଇ ପଳାଇଥିଲେ। ପାଟ୍ରୋଲିଂ ଭ୍ୟାନ୍‌ ସେମାନଙ୍କୁ ପିଛା କରିଥିଲେ ମଧ୍ୟ କୌଣସି ପତ୍ତା ପାଇ ନଥିବା ଜଣାପଡ଼ିଛି। ଅପରପକ୍ଷରେ ଅପହରଣ କରିଥିବା ଯୁବକମାନେ ଯୁବତୀଙ୍କ କଲେଜ୍‌ ସାଙ୍ଗ ବୋଲି ଜଣାପଡ଼ିଛି। ଏନେଇ ଯୁବତୀଙ୍କ ପରିବାର ଲୋକ ଯାତ୍ରା ପଡ଼ିଆ ନିକଟରେ ଅନ୍ୟ କିଛି ସନ୍ଦେହ ଘେରରେ ଥିବା ଯୁବକଙ୍କୁ ଖୋଜାଖୋଜି କରି ସେମାନଙ୍କଠାରୁ କଥା ଆଦାୟ କରିବା ନେଇ ଚେଷ୍ଟା ଚଳାଇଛନ୍ତି। ଏନେଇ ସହିଦନଗର ଥାନାକୁ ଯୋଗାଯୋଗ କରିବାରୁ ଏପରି କିଛି ଅଭିଯୋଗ ହୋଇ ନଥିବା ପୁଲିସ୍‌ କହିଛି। ଅପରପକ୍ଷରେ ସ୍ଥାନୀୟ ଲୋକ କୁହନ୍ତି ପିସିଆର୍‌ରେ ମାତ୍ର ଜଣେ ହୋମ୍‌ଗାର୍ଡ଼କୁ ଛାଡ଼ିଦେଲେ ଅନ୍ୟ କେହି ଭ୍ୟାନ୍‌ରେ ନଥିବାରୁ ଅପହରଣ କରାଯାଉଥିବା କାର୍‌କୁ ପୁଲିସ୍‌ ଗୋଡ଼ାଇ ପାଇ ନଥିଲା।

ସମ୍ବନ୍ଧିତ ଖବର