ବନ୍ଧୁକ ମୁନରେ ୨ଜଣଙ୍କୁ ଅପହରଣ

ଆସିକା: କିଛିଦିନ ପରେ ପୁଣି ଅଶାନ୍ତ ହୋଇ ଉଠିଛି ଗଞ୍ଜାମ ଜିଲ୍ଲାର କ୍ରାଇମ୍ ସିଟି ଆସିକା। ଆଜି ରାତି ପ୍ରାୟ ୮ଟା ବେଳେ କୋଟିବାଡ଼ି ଗ୍ରାମର ପ୍ରସନ୍ନ ଗୌଡ଼ (୪୮) ଓ କାଳିଆ ଜେନା (୧୮)ଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରିନେଇଛି। ଅପହରଣର କାରଣ ଜଣା ପଡ଼ିନଥିବାବେଳେ ଖବର ଲେଖାହେବା ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ମିଳିଥିବା ସୂଚନ‌ା ଅନୁସାରେ, ପ୍ରସନ୍ନ ଓ ଆଲିପୁର ବାସିନ୍ଦା କାଳିଆ କାମ ସାରି ଆସିକାରୁ ଏକ ବାଇକ୍‌ରେ ନିଜ ଘରକୁ ଯାଉଥିଲେ। ଏହି ସମୟରେ ଆସିକାଠୁ ପ୍ରାୟ ୩ରୁ ୪ କିଲୋମିଟର ଦୂର ଆଲିପୁର ସ୍କୁଲ ଛକ ନିକଟରେ ପୂର୍ବ ଯୋଜନା ମୁତାବକ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଧମକଚମକ ଦେଇ ଥିଲେ। ଏହାପରେ ମୁଣ୍ଡ ଉପରେ ମାଉଜର୍ ରଖି ଅପହରଣ କରି ନେଇଥିଲେ। ଖବର ମିଳିବା ସୁଦ୍ଧା, ଥାନା ଅଧିକାରୀ ପୀତବାସ ଧାରୁଆଙ୍କ ନେତୃତ୍ବରେ ଏକାଧିକ ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି। ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ, ଦୁଇ ବର୍ଷ ତଳେ ପ୍ରସନ୍ନଙ୍କୁ ଆଲିପୁର ଗ୍ରାମ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ବର୍ତ୍ତମାନ ଅପହରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ପୂର୍ବଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରସନ୍ନଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର