ନାବାଳିକାଙ୍କୁ ଅପହରଣ, ଅପହର୍ତା ଗିରଫ

ଭୁବନେଶ୍ୱର: ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅପହର୍ତାକୁ ଗିରଫ କରିଛି। ସେ ହେଲା ସାଲିଆସାହି ଆଦିବାସୀ ଗାଁର ଭଗବାନ ସିଂହ(୨୦)। ପୁଲିସ ସୂଚନା ମୁତାବକ, ଗତ କିଛିମାସ ହେବ ଭଗବାନ ସେହି ଅଞ୍ଚଳର ଜେଣ ନାବାଳିକାଙ୍କୁ ଏକତରଫା ଭାବେ ଭଲପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ପିଛା କରିବା ସହ ହଇରାଣ ହରକତ କରୁଥିଲା। ଏମିତିକି ନାବାଳିକାଙ୍କୁ ବିବାହ କରିବା ପାଇଁ ବାରମ୍ବାର ରାସ୍ତାରେ ଅଟକାଇ ଅନୁରୋଧ କରୁଥିଲା। ତେବେ ନାବାଳିକା ଜଣଙ୍କ ଭଗବାନ କଥାରେ ରାଜି ହୋଇ ନଥିଲେ। ଫଳରେ ଭଗବାନ ପ୍ରତିଶୋଧ ପରାୟଣ ହୋଇ ସୁଯୋଗକୁ ଅପେକ୍ଷା କରିଥିଲା। ଗତ ନଭେମ୍ବର ୨୫ ତାରିଖରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ଭଗବାନ ତାଙ୍କୁ ଅପହରଣ କରିନେଇଥିଲା। ତେବେ ନାବାଳିକା ଘରେ ନଥିବା ଦେଖି ପରିବାରଲୋକ ଖୋଜାଖୋଜି କରିଥିଲେ। ନପାଇବାରୁ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଶନିବାର ରାତିରେ ପୁଲିସ ନଖରା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଭଗବାନକୁ ଗିରଫ କରିଥିଲା। ଆଜି ନାବାଳିକାଙ୍କୁ ତାଙ୍କ ପରିବାରଲୋକଙ୍କୁ ଜିମା ଦେଇଥିବା ବେଳେ ଭଗବାନକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର