ଏମ୍‌ଟେକ୍‌ ଛାତ୍ର ଅପହରଣ ମାମଲା : ଧରାପଡ଼ିଲା କିଙ୍ଗ୍‌ପିନ୍‌ ଦେବାଶିଷ

ଖଣ୍ଡଗିରି : ୫ ତାରିଖ ଅପରାହ୍ଣରେ ସ୍ଥାନୀୟ ଜାଗମରାରୁ ଏମ୍‌ଟେକ୍‌ ଛାତ୍ର ଅନୁଜ ଝା ଅପହରଣ ମାମଲାର କିଙ୍ଗ୍‌ପିନ୍‌ ଦେବାଶିଷ ମୁଖାର୍ଜୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ୮ ଦିନର ଲୁଚକାଳି ଖେଳ ପରେ ପୁଲିସ ଗତକାଲି ରାତିରେ ଭୁବନେଶ୍ୱର ୟୁନିଟ୍‌-୯ ଅଞ୍ଚଳରୁ ତାକୁ ଗିରଫ କରିଛି। କିନ୍ତୁ ଦେବାଶିଷର ସ୍ତ୍ରୀ କିନ୍ତୁ ଏବେ ବି ଫେରାର୍‌ ରହିଛି। ଖୁବ୍‌ ଶୀଘ୍ର ପୁଲିସ ତାଙ୍କୁ ଗିରଫ କରିବ ବୋଲି ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ ୫ ତାରିଖ ଦିନ ଅପରାହ୍ଣ ସାଢ଼େ ୧ଟା ସମୟରେ ସ୍ଥାନୀୟ ଏକ ଘରୋଇ ଇଂଜିନିୟରିଂ କଲେଜର ଏମ୍‌ଟେକ୍‌ ଛାତ୍ର ଅନୁଜ ଝାଙ୍କୁ ଅପହରଣ କରାଯାଇଥିଲା। ଦେବାଶିଷ ଓ ତାଙ୍କର ଅନ୍ୟ ୬ ଜଣ ସହଯୋଗୀ ଜାଗମରାସ୍ଥିତ ଏକ ଏଟିଏମ୍‌ ନିକଟରୁ ଅନୁଜଙ୍କୁ ଉଠାଇ ନେଇଥିଲେ। ପ୍ରଥମେ ସେମାନେ ଫୁଲନଖରା ନିଆଳି ରାସ୍ତାରେ ଏକ ଗାଁକୁ ନେଇ ଅନୁଜଙ୍କୁ ମାଡ଼ ମାରିବା ସହ ୧୦ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପୁଲିସ ଏଭଳି ଏକ ସଂଗିନ୍‌ ଅଭିଯୋଗ ପାଇବା ପରେ ଅଭିଯାନ ଆରମ୍ଭ କରି ପ୍ରାୟ ୫ ଘଣ୍ଟା ଭିତରେ ୬ ଜଣ ଅପହରଣକାରୀଙ୍କୁ ଗିରଫ କରିବା ସହ ଅପହର୍ତା ଅନୁଜଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। କିନ୍ତୁ ଅପହରଣର କିଙ୍ଗ୍‌ପିନ୍‌ ଦେବାଶିଷ ଖସି ପଳାଇଥିଲା।

ଦଲାଲି ଟଙ୍କା ଏକାକୀ ହଡ଼ପ୍‌ କରିଥିଲା ଅନୁଜ

ଦେବାଶିଷ ଗିରଫ ହେବା ପରେ ଏହି ମାମଲାର ଅସଲ କାରଣ ଜଣାପଡ଼ିଛି। ଦେବାଶିଷର ଅଭିଯୋଗ କହିବା ଅନୁସାରେ ଏକ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ ହୋଇଥିବା ଦଲାଲି ଟଙ୍କା ଅନୁଜ ଏକାକୀ ହଡ଼ପ କରିଥିଲା। ସେମାନେ ଦୁଇ ଜଣ ଛାତ୍ରଙ୍କୁ ମେଡିକାଲ କଲେଜରେ ନାମ ଲେଖାଇବାରେ ସହଯୋଗ କରିଥିଲେ ଓ ୧୫ ଲକ୍ଷ ଟଙ୍କା କମିସନ ବାବଦରେ ମିଳିଥିଲା। କିନ୍ତୁ ଅନୁଜ ଏକାକୀ ସବୁତକ ଟଙ୍କା ହଡ଼ପ କରି ଧରାଛୁଅାଁ ଦେଇନଥିଲା। ତେଣୁ ବାଧ୍ୟ ହୋଇ ଦେବାଶିଷ ଜୋର୍‌ ଜବରଦସ୍ତ ଟଙ୍କା ଆଦାୟ କରିବା ପାଇଁ ଉପାୟ ପାଞ୍ଚିଥିଲା। ଦେବାଶିଷର ଫୋନ୍‌କୁ ଏଡ଼ାଇ ଯାଉଥିବାରୁ ସେ ନିଜ ସ୍ତ୍ରୀକୁ ଏଥିପାଇଁ ମୋହରା କରିଥିଲା। ଭିନ୍ନ ଏକ ପରିଚୟ ଦେଇ ଦେବାଶିଷ ସ୍ତ୍ରୀ ଅନୁଜକୁ ଫୋନ୍‌ କରି ଏକ ମେଡିକାଲ କଲେଜ ସିଟ୍‌ ବୁକ୍‌ କରିବା ପାଇଁ କହିଥିଲା। ଆଉ ଏକ ଦଲାଲି ସୁଯୋଗ ମିଳିବା ଲୋଭରେ ଜଣେ ମହିଳାଙ୍କ ଫୋନ୍‌ ପାଇ ଅନୁଜ ଜାଗମରାସ୍ଥିତ ଏକ ଏଟିଏମ୍‌ ନିକଟକୁ ଆସି ଫସି ଯାଇଥିଲା। ଦେବାଶିଷର ଏହି ଅଭିଯୋଗ ପଛରେ ସତ୍ୟତା ରହିଥିବା ପୁଲିସ ଅନୁମାନ କରୁଛି। କାରଣ ଦେବାଶିଷ ଜଣେ ବ୍ରୋକର୍‌ ଓ ପୂର୍ବରୁ ନାମ ଲେଖାଇବାକୁ କହି ଜଣଙ୍କୁ ଠକିବା ସହ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସେ ଜେଲ୍‌ ଯାଇଥିଲା। ଗତ କିଛି ମାସ ହେଲା ଜେଲ୍‌ରୁ ବାହାରିଛି। ତେଣୁ ଅନୁଜ ଓ ତା’ ମଧ୍ୟରେ ଏଭଳି ଏକ ଡିଲ୍‌ ହୋଇଥିବା କଥାରେ ସତ୍ୟତା ରହିଥିବା ବିଶ୍ୱାସଯୋଗ୍ୟ ବୋଲି କୁହାଯାଉଛି। ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ।

ସମ୍ବନ୍ଧିତ ଖବର