ଭଜନ ଗାଇବାକୁ ନେଇ ଛୁରା ମାଡ଼, ୩ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ରୋକଟ ଭୋଇସାହି (ଅଲାରପୁର)ରେ ସୋମବାର ରାତିରେ ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆଜି ବାଳକାଟି ଫାଣ୍ଡି ପୁଲିସ ଗୋଟିଏ ପରିବାରର ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ପଠାଣିସାମନ୍ତ ଭୋଇ(୬୦) ତାଙ୍କ ବଡ଼ପୁଅ ପ୍ରକାଶ ଭୋଇ(୩୫) ଓ ସାନପୁଅ ପ୍ରମୋଦ ଭୋଇ(୨୮)। ବୁଧବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ଏମାନଙ୍କ ମିଳିତ ଆକ୍ରମଣରେ ଗ୍ରାମର କାଳିଆ ଓରଫ କାର୍ତିକ ବେହେରା (୪୦) ଗୁରୁତର ଆହତ ହୋଇଥିଲେ। ଛୁରିରେ ଆକ୍ରମଣ କରିବାରୁ ତାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିବା ନେଇ ତାଙ୍କ ପତ୍ନୀ ଦୁଲ୍ଲାରାଣୀ ବେହେରା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ‌କେସ୍‌ ନମ୍ବର ୬୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏବେ କାର୍ତ୍ତିକଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଫାଣ୍ଡି ଅଧିକାରୀ ଶ୍ରୀ ନାଥଙ୍କ ସୂଚନାନୁଯାୟୀ ସାହିରେ ଏକ ଭଜନମଣ୍ଡଳୀ ଅଛି। ଉଭୟ କାର୍ତ୍ତିକ ଓ ପ୍ରକାଶ ସେଠାରେ ଭଜନ ଗାଆନ୍ତି। ଗତକାଲି ଭଜନ ଗାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ଦୁଇ ପରିବାରକୁ ବ୍ୟାପି ଯାଇଥିଲା। ଉଭୟ ପରିବାରର ସଦସ୍ୟମାନେ ପରସ୍ପରକୁ ଠେଙ୍ଗାବାଡ଼ି ଓ ଛୁରିରେ ଆକ୍ରମଣ କରିଥିଲେ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିଶା ହିଁ ଗଣ୍ଡଗୋଳର କାରଣ। କାର୍ତ୍ତିକ ଠେଙ୍ଗାରେ ମାଡ଼ ମାରିବାରୁ ବିପକ୍ଷ ଗୋଷ୍ଠୀ କାର୍ତ୍ତିକଙ୍କ ପେଟକୁ ଛୁରିରେ ଭୁସି ଦେଇଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର