ଭଦ୍ରକ: ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ, ୨ ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି 

ଭଦ୍ରକ: ସ୍ପଷ୍ଟ ଦିବାଲୋକରେ ଜଣେ ଆଇନଜୀବୀଙ୍କ ଉପରେ ଗୁରୁବାର ଛୁରାମାଡ କରାଯାଇଛି। ଆଇନଜୀବୀ ଜଣଙ୍କ ଆହତ ହୋଇଥିବା ବେଳେ ଛୁରାମାଡ କରି ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ମଧ୍ୟ ସ୍ଥାନୀୟ ଲୋକମାନେ ମାଡ ମାରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳ ସାଢେ ଦଶଟା ବେଳେ ଭଦ୍ରକର ଡାହାଣୀଗଡିଆ ଛକ ନିକଟସ୍ଥ ପାଣ୍ଟାଲୋନ୍‌ ସୋରୁମ୍‌ ନିକଟରେ ଅପର୍ତ୍ତିବିନ୍ଧା ଅଞ୍ଚଳରେ ରହୁଥିବା ଆଇନଜୀବୀ ବିବେକାନନ୍ଦ ମହାନ୍ତିଙ୍କୁ ରମ୍ଭିଳା ଗ୍ରାମର ସୁବାସ ମହାପାତ୍ର ଓ ଯାଜପୁର ଅଞ୍ଚଳର ଯୁବକ ଜିତନ ନାୟକ ହଠାତ୍‌ କଥାବାର୍ତ୍ତା କରିବା ବେଳେ ଛୁରାମାଡ କରିଥିଲେ। ଛୁରାମାଡରେ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିବା ବିବେକାନନ୍ଦଙ୍କୁ ସ୍ଥାନୀୟ ଲୋକମାନେ ଉଠାଇ ମେଡିକାଲରେ ଭର୍ତ୍ତି କରିଥିଲେ।

ଏଇ ଘଟଣାରେ ସ୍ଥାନୀୟ ଲୋକମାନେ ରାଗିଯାଇ ସୁବାସଙ୍କୁ ମଧ୍ୟ ମାଡ ମାରିଥିଲେ। ଲୋକଙ୍କ ମାଡ ଭୟରେ ଜିତନ ନାୟକ ଦେଡି ପଳାଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଟାଉନ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୁଲିସ ମେଡିକାଲ ଯାଇ ଘଟଣା ସଂପର୍କରେ ପଚାରି ବୁଝିଛି। ବିବେକାନନ୍ଦଙ୍କ ଅଭିଯୋଗ ପରେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର