ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସାଢ଼େ ୭ ବର୍ଷ ପରେ କୁନୁ ବଡ଼ୁ ହତ୍ୟା ମାମଲାର ରାୟ ପ୍ରକାଶ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ଇଲାକାବାଡ଼ି ସେବା ନୀତିକୁ ନେଇ ୨୦୧୦ ମସିହାରେ ସଂଘଟିତ ବହୁ ଚର୍ଚିତ କାଶୀବିଶ୍ୱନାଥ ବଡ଼ୁ ଓରଫ କୁନୁ ହତ୍ୟା ମାମଲାରେ ଭୁବନେଶ୍ୱର ଏଡିଜେ କୋର୍ଟ-୪ ଆଜି ରାୟ ପ୍ରଦାନ କରିଛନ୍ତି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଏ ଦୁଇ ଜଣ ଅଭିଯୁକ୍ତ ହେଲେ ପୁରୁଣା ଭୁବନେଶ୍ୱର ତିନିମୁଣ୍ଡିଆ ଛକ ନିକଟସ୍ଥ ସୁଆରସାହିର ମନୋରଂଜନ ମହାପାତ୍ର ଓରଫ୍‌ କୁନିଆ ଓ ଅକ୍ଷୟ ମହାପାତ୍ର ଓରଫ୍‌ ବବୁନ୍‌। ଅନ୍ୟ ଜଣେ ଅଭିଯୁକ୍ତ ସେତେବେଳେ ନାବାଳକ ହୋଇଥିବାରୁ ଏହି ମାମଲାର ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାଲିଛି। ଏହି ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଆଜି ଏହା ମୁଖ୍ୟ ଆଲୋଚନାର ବିଷୟ ପାଲଟି ଯାଇଛି।

ନିଯୁକ୍ତ ହୋଇଥିଲେ ସ୍ୱତନ୍ତ୍ର ପିପି

ଏଭଳି ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡକୁ କମିସନରେଟ୍‌ ପୁଲିସ ଗୁରୁତ୍ୱର ସହିତ ନେଇଥିଲା। ଅଭିଯୁକ୍ତମାନେ କିଭଳି ସଜା ପାଇବେ ସେଥିପାଇଁ ତତ୍କାଳୀନ ପୁଲିସ କମିସନର ବିଜୟ କୁମାର ଶର୍ମା ଜଣେ ସ୍ୱତନ୍ତ୍ର ପିପିଙ୍କୁ କୋର୍ଟରେ ମାମଲା ପରିଚାଳନା ପାଇଁ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସ୍ୱତନ୍ତ୍ର ପିପି ବୀରେନ୍‌ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ। ସେହିପରି ପିପି ଶ୍ରୀ ପଣ୍ଡାଙ୍କୁ ସହଯୋଗ କରିବା ଲାଗି ବଡ଼ୁ ନିଯୋଗ ସମିତିର ସମ୍ପାଦକ କମଳାକାନ୍ତ ବଡ଼ୁ ଓ ମୃତ କୁନୁଙ୍କ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ, ଶ୍ରୀହର୍ଷ ହୋତା, ବିଜୟ ରଗର ପ୍ରମୁଖ ନିଯୁକ୍ତ ହୋଇଥିଲେ। ଶେଷରେ ଆଜି ମାନ୍ୟବର ବିଚାରପତି ଦାମୋଦର ରଥ ସମସ୍ତ ୨୪ ଜଣଙ୍କ ସାକ୍ଷ୍ୟ, ୩୦ଟି କାଗଜପତ୍ର, ହତ୍ୟାରେ ବ୍ୟବହୃତ ହୋଇଥିବା କଟୁରି, ଛୁରି, ରକ୍ତ ଭିଜା କପଡ଼ା ଆଦିକୁ ଭିତ୍ତି କରି ଉପୋରକ୍ତ ରାୟ ପ୍ରଦାନ କରିଛନ୍ତି। ମାନ୍ୟବର କୋର୍ଟଙ୍କ ଏଭଳି ରାୟକୁ ବଡ଼ୁ ନିଯୋଗ ସମତି ଏବଂ ମୃତ କୁନୁଙ୍କ ମା’ ରସନା ବଡ଼ୁ ସ୍ୱାଗତ କରିଛନ୍ତି। ଆଜି ଏହି ରାୟ ପ୍ରକାଶ ପାଇବା ପରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ତଦନ୍ତକାରୀ ଅଧିକାରୀ ଆଲୋକ ଜେନାଙ୍କ ତଦନ୍ତକୁ ପ୍ରଶଂସା କରିଛନ୍ତି।

କ’ଣ ଥିଲା ଘଟଣା

୨୦୧୦ ମସିହା ଅଗଷ୍ଟ ମାସ(ଶ୍ରାବଣ)ର ଘଟଣା। ଶ୍ରାବଣ ମାସ ହୋଇଥିବାରୁ ଲିଙ୍ଗରାଜ ମନ୍ଦିରରେ ସେବା ଓ କାଉଡ଼ିଆମାନଙ୍କ ସେବାରେ ସମସ୍ତ ନିଯୋଗ ବ୍ୟସ୍ତ ଥିଲେ। ଏହି ସମୟରେ ଇଲାକାବାଡ଼ି ସେବା ନୀତିକୁ ନେଇ ବଡ଼ୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଚାଲିଥିଲା। ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଏକାଧିକ ହତ୍ୟା ଉଦ୍ୟମ, ଧମକ ଚମକ ଦେବା ଭଳି ମାମଲା ରୁଜୁ ହୋଇଥିଲା। ରାତି ପାହିଲେ ଥିଲା ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରବିବାର (ଅଗଷ୍ଟ ୮ ତାରିଖ) ରାତିରୁ ସମଗ୍ର ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିଲା। ତେବେ ଅଭିଯୁକ୍ତ ମନୋରଂଜନ, ଅକ୍ଷୟ ଓ ନାବାଳକ ଜଣକ ମିଶି କରି କୁନୁକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ କୁନୁଙ୍କୁ କୋଟୀତୀର୍ଥ ଲେନ୍‌ ସୁବର୍ଣ୍ଣେଶ୍ୱର ମନ୍ଦିର ପାଖକୁ ଡକାଇଥିଲେ। ଆଉ କୁନୁ ମନ୍ଦିର ବେଢ଼ାରେ ପହଞ୍ଚିବା ମାତ୍ରେ ସେମାନେ କଟୁରି ଓ ଛୁରିରେ ଭୟଙ୍କର ଆକ୍ରମଣ କରିଥିଲେ। କୁନୁଙ୍କ ଶରୀରରେ ଏକାଧିକ ଚୋଟ ପଡ଼ିଥିଲା। ରକ୍ତରଂଜିତ ହୋଇ ଯାଇଥିଲା ସୁବର୍ଣ୍ଣେଶ୍ୱର ମନ୍ଦିର ବେଢ଼ା। ସୋମବାର ଭୋର ବେଳକୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବ୍ରାହ୍ମଣ ଜଣକ ଏଭଳି ଲୋମଟାଙ୍କୁରା ଓ ବୀଭତ୍ସ ହତ୍ୟାକାଣ୍ଡ ଦେଖି ହତବାକ ହୋଇ ଯାଇଥିଲେ। ଚାହୁଁ ଚାହୁଁ ସମଗ୍ର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏହି ହତ୍ୟା ଖବର ପ୍ରଚାର ହୋଇଗଲା। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ, ତତ୍କାଳୀନ ପୁଲିସ କମିସନର ବିଜୟ କୁମାର ଶର୍ମା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବଡ଼ୁ ନିଯୋଗର ଜଣେ ସଦସ୍ୟଙ୍କୁ ହତ୍ୟା କରାଯିବା ଖବର ବ୍ୟାପିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତ-ସେବାୟତ ମଧ୍ୟରେ ସଂଘର୍ଷ ହେବାର ଆଶଙ୍କା ମଧ୍ୟ ଉପୁଜିଥିଲା। ତେଣୁ ଲିଙ୍ଗରାଜ ମନ୍ଦିର ଓ ସମଗ୍ର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

କେମିତି ଧରାହେଲେ ଅଭିଯୁକ୍ତ

ଶ୍ରୀଲିଙ୍ଗରାଜ ଥାନାର ତତ୍କାଳୀନ ଇନ୍ସପେକ୍ଟର ଆଲୋକ ଜେନା ସାଇଣ୍ଟିଫିକ୍‌ ଟିମ୍‌ ସହିତ ତଦନ୍ତ କଲେ ହେଁ କୁନୁଙ୍କୁ କିଏ ମାରିଲା ତାହାର କୌଣସି ସୁରାକ ମିଳି ନ ଥିଲା। ମୃତ କୁନୁର ମା’ କମଳ ବଡ଼ୁ ଏତଲାରେ କୌଣସି ଅଭିଯୁକ୍ତଙ୍କ ନାଁ ବି ଉଲ୍ଲେଖ କରି ନ ଥିଲେ। ପୁଲିସ କିନ୍ତୁ ତଦନ୍ତ ଜାରି ରଖିଥିଲା। ଏହି ସମୟରେ ଇଲାକାବାଡ଼ି ସେବା ନୀତିକୁ ନେଇ ବଡ଼ୁ ନିଯୋଗ ଓ ସୁଆର ନିଯୋଗକୁ ନେଇ ବିବାଦ ଚାଲିଥିଲା। ତେଣୁ ପୁଲିସ ସନ୍ଦେହରେ ସୁଆର ନିଯୋଗର କେତେକ ସେବାୟତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ସେମାନେ ହିଁ ହତ୍ୟାକାଣ୍ଡ ଘଟାଇଥିବା ମାନି ଯାଇଥିଲେ। ପୁଲିସକୁ ସାଙ୍ଗରେ ନେଇ ଅଭିଯୁକ୍ତମାନେ କଟୁରି ଓ ଛୁରି ଲୁଚାଇଥିବା ସ୍ଥାନ ଦେଖାଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର