ରାଜଧାନୀରେ ଆଉ ଜଣେ ଲେଡି ଡନ୍‌!

ଗୋଡ଼ାଇ ଗୋଡ଼ାଇ ପିଟିଲେ, ଦୋକାନରେ ଭଙ୍ଗାରୁଜା
ମହିଳା ଆହତ, ଲୋକେ କାବୁ କରି ପୁଲିସରେ ଦେଲେ

ଭୁବନେଶ୍ୱର : ରାଜଧାନୀରେ ଆଉ ଜଣେ ଲେଡି ଡନ୍‌ଙ୍କ ଆବିର୍ଭାବ ହୋଇଛି। ସରସ୍ୱତୀ ପଣ୍ଡା ନାମ୍ନୀ ଏହି ମହିଳା ଜଶକ ନୂଆପଲ୍ଲୀ ଗଣପତିନଗର ବସ୍ତିରେ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। ଆଜି ସସ୍ମିତା ବାଘ ନାମକ ଜଣେ ମହିଳା ଦୋକାନୀଙ୍କ ଦୋକାନରେ ପଶି ସରସ୍ୱତୀ ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସସ୍ମିତା ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରିବାରୁ ସାହିର କିଛି ସ୍ତ୍ରୀଲୋକ ଏକାଠି ହୋଇ ସରସ୍ୱତୀଙ୍କୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି। ଆହତ ସସ୍ମିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସସ୍ମିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସରସ୍ୱତୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନାଯାୟୀ, ନୂଆପଲ୍ଲୀ ଗଣପତି ନଗର ବସ୍ତିରେ ସରସ୍ୱତୀ ପଣ୍ଡା ଗତ କିଛି ଦିନ ହେବ ଆତଙ୍କରାଜ ଚଳାଇଛନ୍ତି। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। କିଛି ଦିନ ଭିତରେ ସେ ଅନେକଙ୍କୁ ମାଡ଼ ମାରି ଆହତ କରିିଛନ୍ତି। ସରସ୍ୱତୀଙ୍କ ନାଁରେ ପୂର୍ବରୁ ନୂଆପଲ୍ଲୀ ଥାନାରେ ଗଣ୍ଡଗୋଳ କରିବା ଅଭିଯୋଗ ମଧ୍ୟ ରହିଛି। ଏପରିକି ସରସ୍ୱତୀ କିଛି ଦିନ ଜେଲ୍‌ରେ କଟାଇ ବସ୍ତିକୁ ଫେରିଛନ୍ତି।

ଅଭିଯୋଗ ଅନୁସାରେ ଆଜି ମଧ୍ୟାହ୍ନ ୧୨ଟାରେ ସସ୍ମିତା ତାଙ୍କ ଦୋକାନରେ ଥିବା ସମୟରେ ସରସ୍ୱତୀ ପଣ୍ଡା ସସ୍ମିତାଙ୍କ ଦୋକାନକୁ ଆସି ବାକିରେ ସଉଦା ମାଗିଥିଲେ। ସସ୍ମିତା ବାକି ଦେବାକୁ ମନା କରିବାରୁ ସରସ୍ୱତୀ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଏହାକୁ ସସ୍ମିତା ବିରୋଧ କରିବାରୁ ସରସ୍ୱତୀ ତାଙ୍କ ଦୋକାନ ଭିତରେ ଜୋର ଜବରଦସ୍ତ ପଶି ଜନିଷପତ୍ର ଭଙ୍ଗାରୁଜା କରିବା ସହ ସସ୍ମିତାଙ୍କୁ ଥଣ୍ଡାପାନୀୟ ଟ୍ରେରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସସ୍ମିତା ସେଠାରେ ଚିତ୍କାର କରିବାରୁ ପାଖରେ ଥିବା କିଛି ସାହି ସ୍ତ୍ରୀଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏହାସହ ସରସ୍ୱତୀଙ୍କୁ କାବୁ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ସେମାନେ ସରସ୍ୱତୀଙ୍କୁ ପୁଲିସର ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର