ଲେଡି ଲୁଟେରାଙ୍କ ଉତ୍ପାତ

ସ୍ଥାନୀୟ ଲୋକେ ବାନ୍ଧି ପୁଲିସକୁ ଦେଲେ

ଭୁବନେଶ୍ୱର : ବେଶ୍‌ କିଛିଦିନ ନିରବତା ପରେ ପୁଣି ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଲେଡି ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି। ବୁଧବାର ସକାଳ ସମୟରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଫେରୁଥିବା ଶ୍ରୀପଦ ନାୟକ ନାମକ ଜଣେ ଯୁବକଙ୍କୁ ଅଟକାଇ ଟଙ୍କା ଆଦାୟ ପାଇଁ ଧମକାଇବା ଘଟଣା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏନେଇ ରେଳବାଇ ଥାନା ପୁଲିସ ଏକ ମାମଲା ରୁଜୁ କରି ପୂଜା ସାମଲ ନାମକ ଜଣେ ଲେଡି ଲୁଟେରାକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, ବୁଧବାର ସକାଳ ସମୟରେ ଶ୍ରୀପଦ ନିଜ ଭାଇଙ୍କୁ ଷ୍ଟେସନ୍‌ରେ ଛାଡ଼ି ଶାସ୍ତ୍ରୀନଗର ସ୍ଥିତ ଘରକୁ ଫେରୁଥିଲେ। ସେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଯାଉଥିବା ସମୟରେ ପୂଜା ତାଙ୍କୁ ଲିଫ୍ଟ ମାଗିଥିଲା। ଶ୍ରୀପଦ ପୂଜାର ଚାଲ୍‌ ବୁଝିନପାରି ଅଟକି ଯାଇଥିଲେ। ସେ ଅଟକିବାମାତ୍ରେ ପୂଜା ଶ୍ରୀପଦଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲା। ପୂଜାର ଏପରି ଆଚରଣ ଦେଖି ଶ୍ରୀପଦ ଚକିତ ହୋଇ ଯାଇଥିଲେ। ଶ୍ରୀପଦ ପ୍ରତିବାଦ କରିବାରୁ ପୂଜା ଓଲଟି ତାଙ୍କୁ ଧମକାଇଥିଲା। ଯଦି ମୋତେ ମୋବାଇଲ୍‌ ମାଗିବୁ ମୁଁ ପାଟି କରି ଲୋକଙ୍କୁ ଡାକିବି। ଆଉ ମୋତେ ଅସଦାଚରଣ କରିଛୁ ବୋଲି ଲୋକଙ୍କୁ କହିବି। ଶ୍ରୀପଦ ଭୟରେ ଚୁପ୍‌ ହୋଇଯାଇଥିଲେ। ଶ୍ରୀପଦଙ୍କ ନିରବତା ଦେଖି ପୂଜା ତୁରନ୍ତ ତାଙ୍କ ପକେଟ୍‌ରୁ ୧୫ଶହ ଟଙ୍କା ନେଇଯାଇଥିଲା। ଟଙ୍କା ନେଇଯା ପଛେ ମୋ ମୋବାଇଲ୍‌ ଫେରାଇ ଦିଅ ବୋଲି ଶ୍ରୀପଦ ନେହୁରା ହୋଇ ପୂଜାକୁ କହିଥିଲେ। ହେଲେ ମୋବାଇଲ୍‌ ପାଇଁ ୩ହଜାର ଟଙ୍କା ଦେ। ତା ହେଲେ ମୁଁ ମୋବାଇଲ୍‌ ଫେରାଇବି।

ଖାଲି ଏତିକି ନୁହେଁ ମୋତେ ତୋ ରୁମ୍‌କୁ ନେଇଚାଲ, ସେଠାରୁ ବି କିଛି ଜିନିଷ ଆଣିବି ବୋଲି ପୂଜା ଶ୍ରୀପଦକୁ କହିଥିଲା। ପୂଜା କଥାରେ ରାଜି ହୋଇ ଶ୍ରୀପଦ ପୂଜାକୁ ରୁମ୍‌କୁ ନେଇଯାଇଥିଲେ। ଏହାପରେ ପୂଜାକୁ ବାହାରେ ଛିଡ଼ା କରି ସାଙ୍ଗମାନଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ସେଠାରେ ଥିବା ହଷ୍ଟେଲୁ ଶ୍ରୀପଦଙ୍କ କେତେକ ବାନ୍ଧବୀ ବାହାରକୁ ଆସି ପୂଜାକୁ ବାନ୍ଧି ପକାଇଥିଲେ। ଏହାପରେ ତୁରନ୍ତ ଖାରବେଳନଗର ଥାନା ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂଜାକୁ ଗିରଫ କରି ଥାନାକୁ ନେଇଥିଲା। ପଚରା ଉଚରା ପରେ ତାଙ୍କୁ ରେଳବାଇ ଥାନାକୁ ହସ୍ତାନ୍ତର କରାଯାଇଥିଲା। ପୂଜା ଜଣେ ଅଭ୍ୟାସଗତ ଲୁଟେରା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର