ଜମିବାଡ଼ିକୁ କେନ୍ଦ୍ର କରି ମାରପିଟ୍‌ : ବଡ଼ଭାଇର ମାଡ଼ରେ ସାନ ଗୁରୁତର

ଭୁବନେଶ୍ୱର : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ବଡ଼ ଭାଇର ଆକ୍ରମଣରେ ସାନ ଭାଇ ଗୁରୁତର ଆହତ ହୋଇଛି। ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସାନ ଭାଇଙ୍କ ପତ୍ନୀ। ଶେଷରେ ସାନ ଭାଇର ପରିବାର ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ପୂର୍ଣ୍ଣଚନ୍ଦ୍ର ମହାରଣା ଓ ଦୁଃଖିଶ୍ୟାମ ମହାରଣା ଦୁଇ ଭାଇ। ଗତ ୨୮ ତାରିଖରେ ଜାଗା ଭାଗବଣ୍ଟାକୁ କେନ୍ଦ୍ରକରି ଦୁଇ ଭାଇ ମୁହାଁମୁହିଁ ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବଡ଼ଭାଇ ପୂର୍ଣ୍ଣ ସାନ ଭାଇ ସ୍ତ୍ରୀ ରୀନାଙ୍କୁ ଗାଳିଗୁଲଜ କରିଥିଲା। ଏହାକୁ ସାନଭାଇ ଦୁଃଖିଶ୍ୟାମ ବାରଣ କରିବାରୁ ହଠାତ ପୂର୍ଣ୍ଣ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଦୁଃଖିଶ୍ୟାମଙ୍କ ପତ୍ନୀ ରୀନା ୨୮ ତାରିଖ ସନ୍ଧ୍ୟାରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ରଖିଥିଲେ ହେଁ ତଦନ୍ତ ଚାଲିଛି କହି ବସି ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ରିନା। ତାଙ୍କ କହିବାନୁଯାୟୀ ସେ ଓ ତାଙ୍କ ସ୍ୱାମୀ ପ୍ରତ୍ୟେକ ଦିନ ଥାନାକୁ ଯାଇ ଘଣ୍ଟାଘଣ୍ଟା ଧରି ବସୁଥିଲେ ମଧ୍ୟ ତାଙ୍କୁ ମାଡ଼ ମାରିଥିବା ପୂର୍ଣ୍ଣଙ୍କ ଉପରେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଯାହା ଫଳରେ ସେ ତାଙ୍କୁ ଧମକଚମକ ମଧ୍ୟ ଦେଉଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବାରୁ ସେ ଆଜି ଡିସିପିଙ୍କ ଅଫିସର ଦ୍ୱାରସ୍ଥ ହୋଇଛନ୍ତି। ଯଦି ଏଠି ବି ତାଙ୍କୁ ନ୍ୟାୟ ନମିଳେ ସେ ତାଙ୍କ ପରିବାର ସହ ଡିସିପିଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର