ଲୁଟ୍‌ ହେଉଛି ବାଲି ଓ ମୋରମ ଖାଦାନ:ମାଫିଆ – ଅଧିକାରୀଙ୍କ ମଧ୍ୟରେ ଫିକ୍ସିଂ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାଦେଇ ପ୍ରବାହିତ ହୋଇଛି ତେଲନଦୀ, ମହାନଦୀ, ଅଙ୍ଗନଦୀ ସହ ଅନେକ ନଦୀନାଳ। ଏହି ନଦୀ ଗୁଡିକରୁ ବେଆଇନ ଭାବରେ ବାଲି ଉତ୍ତୋଳନ ଚାଲିଥିବା ଅଭିଯୋଗ ହେଉଛି। ବେଆଇନ ବାଲି ଉତ୍ତୋଳନ ସାଙ୍ଗକୁ ମୁରୁମ ଖଦାନ ଲୁଣ୍ଠନ ହେଉଛି ଜିଲ୍ଲାରେ। କିଛି ସରକାରୀ ଅଧିକାରୀଙ୍କୁ ହାତ କରି ବାଲି ମାଫିଆ ମାନେ ଏହି କାରବାର କରୁଥିବା ବି ଚର୍ଚ୍ଚା ହେଉଛି।
ଦିନ ଦ୍ୱିପ୍ରହରରେ ଟା୍ରକ୍ଟରରେ ବାଲି ଉଠାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ସମୟ ସମୟରେ ଲୋକ ଦେଖାଣିଆ ହାତ ଗଣତି ଟ୍ରାକ୍ଟରକୁ ଧରି ସୋନପୁର ପ୍ରସାସନ ପକ୍ଷରୁ ଜରିମାନା ଆଦାୟ କରୁଛି। ଆଉ କୌଣସି ପଦକ୍ଷେପ ନିଆନଯିବାରୁ ବେଧଡ଼କ ଚାଲିଛି ବେଆଇନ ବାଲି ଉତ୍ତୋଳନ। ବେଆଇନ ବାଲି ଓ ମୁରୁମ ଉତ୍ତୋଳନ ଫଳରେ ଠିକାଦାର, ଟ୍ରାକ୍ଟର ବିନା ଟଙ୍କାରେ ବ୍ୟବସାୟ କହି କିଛି ଯୁବ ଗୋଷ୍ଠୀ ମଧ୍ୟ ଏଥିରେ ସାମିଲ ହେଲେଣି। ସୋନପୁର ପଟରୁ ବୌଦ୍ଧ ଜିଲ୍ଲା ଅଞ୍ଚଳକୁ ମଧ୍ୟ ଏଠାରୁ ବାଲି ଚାଲାଣ ହେଉଥିବା ଜଣାଯାଇଛି। ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି।

ଏହି କାର୍ଯ୍ୟରେ ବାଲିର ଢେର ଆବଶ୍ୟକତା ଥିବା ବଳେ କିଛି ଠିକାଦାର ପ୍ରଶାସନକୁ ହାତ କରି ବେଆଇନ ଭାବରେ ବାଲି ଉଠାଉଥିବା ଚର୍ଚ୍ଚାର ବିଷୟ ହୋଇଛି। ମୁରୁମ ଖାଦନ ମଧ୍ୟ ଦିନ ଦ୍ୱିପ୍ରହରରେ ଲୁଟ୍‌ ଚାଲିଛି। ମୟୁରଉଡାନ, ଖଲିଆପାଲି, ଛୋକରମାଲ, ଲଛିପୁର, ବଲାଡି, ଖାରି, ନାରାୟଣପୁର, ଗୋବିନ୍ଦପୁର, ତରଭା ବ୍ଲକର ସିଙ୍ଗାରୀ, ବ୍ରାହ୍ମଣୀ, କମସରା, ଚାରଭଟା, ଝାରତରଭା, ଉଲୁଣ୍ଡା ବ୍ଲକର ସିଣ୍ଡୋଳ, ଉଲୁଣ୍ଡା, ଯଉଁରାଭଉଁରା, ବୀରମହାରାଜପୁର, ଡୁଙ୍ଗରିପାଲି ଏବଂ ବିନିକା ବ୍ଲକର ଅଞ୍ଚଳରେ ଥିବା ମୁରୁମ ଖାଦାନ ମଧ୍ୟ ଲୁଟ୍‌ ଚାଲିଥିବା ଜଣାଯାଇଛି। ଦଶହରା ପରେ ପରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ସେହି ଦିନଠାରୁ ବିଶେଷ କରି ବାଲି ଉତ୍ତୋଳନ ବୃଦ୍ଧି ଘଟିଥାଏ। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର