କଲେଜର ଷ୍ଟାଫ୍‌ ରୁମ୍‌ରେ ଇଂରାଜୀ ଅଧ୍ୟାପକକୁ ଗୁଳି ମାରି ହତ୍ୟା କଲା ଛାତ୍ର

ସୋନିପତ: ହରିୟାଣା ସୋନିପତରେ ଜଣେ ଛାତ୍ର ଅଧ୍ୟାପକଙ୍କୁ ଗୁଳି ମାରି ହତ୍ୟା କରିଛି। ଖରଖୋଦା ପିପଲି ଗ୍ରାମରେ ସହିଦ ଦଳବୀର ସିଂହ ରାଜକୀୟ ମହାବିଦ୍ୟାଳୟରେ ରାଜେଶ ମଲିକ ନାମ ଅଧ୍ୟାପକଙ୍କୁ ଜଣେ ଛାତ୍ର ଗୁଳି ମାରି ହତ୍ୟା କରିବା ଘଟଣା ସାମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ର ଯେତେବେଳେ ଅଧ୍ୟାପକଙ୍କୁ ଗୁଳି ମାରିଲା ସେ ସେତେବେଳେ ଷ୍ଟାଫ୍‌ରୁମ୍‌ରେ ଉପସ୍ଥିତ ଥିଲେ। ଗୁଳି ଚାଳଇଥିବା ଅଭିଯୁକ୍ତ କଲେଜରେ ପଢ଼ୁଥିବା ଛାତ୍ର ବୋଲି ଜଣାପଡ଼ିଛି। ଗୁଳି ଫୁଟିବାର ଶବ୍ଦରେ କଲେଜ ପରିସରରେ କୋକୁଆ ଭୟ ଖେଳି ଯାଇଛି।

ସୂଚନାଯୋଗ୍ୟ, ରାଜେଶ ମଲିକ୍‌ ଇଂରାଜୀ ଅଧ୍ୟାପକ ଥିଲେ। ପ୍ରତିଦିନ ଭଳି ରାଜେଶ ସେଦିନ ବି କଲେଜରେ ପହଞ୍ଚିଥିଲେ। ସକାଳ ୯ଟା ସମୟରେ ରାଜେଶ ଷ୍ଟାଫ୍‌ରୁମ୍‌ରେ ଥିବା ବେଳେ ଛାତ୍ର ଅଧ୍ୟାପକଙ୍କ ଉପରକୁ ତିନିଟି ଗୁଳି ଚଳାଇ ଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁଳି ମାରିଥିବା ଛାତ୍ର ଦ୍ୱିତୀୟ ବର୍ଷର ଜଗମାଳ ବୋଲି ଜଣାପଡ଼ିଛି। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।

ଖରଖୋଦାର ଏସ୍‌ଏଚଓ ବଜିର ସିଂହଙ୍କ କହିବାନୁସାରେ, ପୁଲିସ ମାମଲାର ଯାଞ୍ଚ କରୁଛି। ମୃତ ଅଧ୍ୟାପକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ସେହି କଲେଜର ଜଣେ ଅଧ୍ୟାପକଙ୍କ କହିବାନୁସାରେ, ଗତବର୍ଷ ଜାନୁଆରି ୨୦ ତାରିଖରେ ହରିୟାଣାର ଯମୁନାନଗରରେ ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜ ସ୍କୁଲର ପ୍ରିନ୍ସପାଲକୁ ଗୁଳିମାରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର