ଦୁଇ ଭାଇ, ଭଉଣୀ ଓ ମା’ଙ୍କୁୁ ଆଜୀବନ କାରାଦଣ୍ଡ

କଟକ : ୨୦୧୨ ମସିହାରେ ସଂଘଟିତ ଗଗନ ସାହୁ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଆଠଗଡ ଅତିରିକ୍ତ ଦୌରାଜଜ୍‌ ଅମୃତ ରଂଜନ ନନ୍ଦ  ଦୁଇ ଭାଇ, ଭଉଣୀ ଓ ମା’ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନେ ହେଲେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମର ବିଜୟ ରାଉତ, ତାଙ୍କ ଭାଇ ସଂଜୟ ରାଉତ, ଭଉଣୀ କବିତା ଓ ମା’ ଜନକୀ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨ ମସିହା ସେପ୍ଟେମ୍ବର ୩୦ରେ କୋରଙ୍ଗା ଗ୍ରାମର ଭାଗବତ ଘର ମଣ୍ଡପ କୋଠଘର ନିକଟରେ ଖୁଦୁରୁକୁଣୀ ଓଷା ଚାଲିଥିବା ବେଳେ  ଗ୍ରାମର ଗଗନ ସାହୁଙ୍କ ଉପସ୍ଥିତିକୁ ନେଇ ବିଜୟ ଆପତ୍ତି କରିବାରୁ  ବଚସା ହୋଇଥିଲା। ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା ଓ ଗଗନ ଘଟଣାସ୍ଥଳ ଛାଡି ଘରକୁ ଯାଇଥିଲେ। ପୁଣି ରାତି ୧୦ଟାରେ ଗଗନ ନିଜ ପତ୍ନୀଙ୍କ ସହ ଖୁଦୁରୁକୁଣୀ ଓଷା ହେଉଥିବା ସ୍ଥାନକୁ ଆସିଥିଲେ। ପୂର୍ବ ଶତ୍ରୁତାକୁ ନେଇ ବିଜୟ ସହିତ ଗଗନଙ୍କ ବଚସା ହୋଇଥିଲା। ପୂର୍ବ ଯୋଜନା ଅନୁଯାୟୀ ବିଜୟ ଓ ତାଙ୍କ ଭାଇ ସଂଜୟ କଟୁରୀ ଓ ଠେଙ୍ଗା ଦ୍ୱାରା ଗଗନଙ୍କୁ ଆକ୍ରମଣ କରିବାରୁ ସେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପଡି ଯାଇଥିଲେ। ବିଜୟଙ୍କ ମା’ ଜାନକୀ ଓ ଉଭଣୀ କବିତା କଟୁରୀ ଓ ଠେଙ୍ଗା ବିଜୟ ଓ ସଂଜୟଙ୍କୁ ଯୋଗାଇଥିଲେ ବୋଲି ଅଭିଯୋଗ ହୋଇଥିଲା।
ଗୁରୁତର ଅବସ୍ଥାରେ ଗଗନଙ୍କୁ ପ୍ରଥମେ ଆଠଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗଗନଙ୍କ ମୃତ୍ୟୁ ହୋଇଥିଲାା  ଗଗନଙ୍କ ଭାଇ ପବିତ୍ରଙ୍କ ଏତଲାକୁ ଆଧାର କରି ପୁଲିସ ହତ୍ୟାକାଣ୍ଡ ମାମଲା ରୁଜୁ କରିଥିଲା। ଆଠଗଡ ଥାନା ପୁଲିସ ଘଟଣାର ତଦନ୍ତ କରି ଅଦାଲତରେ ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ସାକ୍ଷ୍ୟ ପ୍ରମାଣ ଓ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ଶରତ କୁମାର ଦାଶଙ୍କ ଯୁକ୍ତିକୁ ଆଧାର କରି ଅଦାଲତ ୪ ଜଣଙ୍କୁ ଏହି ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସମ୍ବନ୍ଧିତ ଖବର