ଲୋଚନ ଦାସ ହତ୍ୟା ମାମଲା: ୮ମାସ ପରେ ଅଭିଯୁକ୍ତ ବନ୍ଧୁ ଗିରଫ

ପ୍ରତିଶୋଧ ନେଇଥିଲା ହତ୍ୟାକାରୀ

ଭୁବନେଶ୍ୱର: ଦୀର୍ଘ ୮ ମାସ ପରେ ଅଧିଆଖାଲ ବସ୍ତି ଲୋଚନ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରିଛି ବଡ଼ଗଡ଼ ଥାନା ପୁଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତୁ ରଂଜନ ଖଟେଇ(୨୮) ଓରଫ ବିକୁକୁ ପୁଲିସ ଆଜି କଳ୍ପନା ଛକରୁ ଗିରଫ କରିଛି। ବିକୁର ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ସୁଆଁସିଆ ଗ୍ରାମରେ। କିନ୍ତୁ ଦୀର୍ଘ ଦିନ ହେବ ସେ ଏହି ବସ୍ତିରେ ରହୁଥିଲା। ପୁଲିସ ତାକୁ ପଚରାଉଚରା କରିବାରୁ ସେ ପ୍ରତିଶୋଧପରାୟଣ ହୋଇ ବନ୍ଧୁ ଲୋଚନକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, ବିକୁ ଓ ଲୋଚନ ଦୁଇ ବନ୍ଧୁ। ଲୋଚନ ନାମରେ ବିଭିନ୍ନ ଥାନାରେ ଚୋରି ଓ ରାହାଜାନି ମାମଲା ରହିଛି। ଏଥିପାଇଁ ସେ ପୂର୍ବରୁ ବହୁବାର ଗିରଫ ମଧ୍ୟ ହୋଇଥିଲା। ଏଭଳି ଚୋରି ଘଟଣାକୁ ନେଇ ପୁର୍ବରୁ ଦୁଇବନ୍ଧୁ ମୁହାଁମୁହିଁ ହୋଇଥିଲେ। ତେବେ ଘଟଣା ଦିନ(୨୦୧୮ ମେ’ ୨୭ ତାରିଖ) ଲିଙ୍ଗରାଜ ୟୁପି ସ୍କୁଲ ନିକଟରେ ଭୋଜି କରି ମଦ ପିଇବା ବେଳେ ପୁରୁଣା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ, ହାତାହାତି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋଚନକୁ ସବୁଦିନ ପାଇଁ ହଟାଇଦେବାକୁ ବିକୁ ଯୋଜନା କରିଥିଲା। ତେଣୁ ବିକୁ ସେଠାରୁ ଚାଲିଯାଇ ଫେରିବା ବାଟରେ ଖଣ୍ଡା ଧରି ଲୋଚନକୁ ଅପେକ୍ଷା କରିଥିଲା। ରାତି ପ୍ରାୟ ୧୧ଟା ୩୦ରେ ଲୋଚନ ଫେରିବା ବେଳେ ବିକୁ ତାକୁ ଅତି ନିର୍ମମ ଭାବେ ହାଣି ସେଠାରୁ ଫେରାର୍‌ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲୁଇସ୍‌ ରୋଡ୍‌ସ୍ଥିତ ଘରୋଇ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ ହେଁ ଡାକ୍ତର ସେଠାରେ ଲୋଚନକୁ ମୃତ ଘୋଷଣା କରିଥିଲା। ଏହାର ପରଦିନ ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତର ଗିରଫ ଦାବିରେ ସ୍ଥାନୀୟ ଲୋକ ଲୁଇସ୍‌ ରୋଡ୍‌ଠାରେ ଲୋଚନର ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଅପରପକ୍ଷେ ପୁଲିସ ଏହି ଘଟଣାର ତଦନ୍ତ କରି ସିସିଟିଭି ଫୁଟେଜ୍‌ ଆଧାରରେ ବିକୁକୁ ଚିହ୍ନଟ କରିଥିଲା। କିନ୍ତୁ ସେ ମୁମ୍ବାଇ ଫେରାର୍‌ ହୋଇଯାଇଥିଲା। ସେ ଭୁବନେଶ୍ୱର ଆସିଥିବା ପୁଲିସ ଜାଣିବାକୁ ପାଇବା ପରେ ତାକୁ ଗିରଫ କରିବା ପାଇଁ ଯୋଜନା କରିଥିଲା। ପୁଲସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ତାକୁ କଳ୍ପନା ଛକ ନିକଟରୁ ଗିରଫ କରିଛି। ସନ୍ଧ୍ୟାରେ ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର