ଖଣ୍ଡଗିରି : ଚା’ରେ ନିଶା ଦେଇ ୩ ଜଣଙ୍କୁ ଲୁଟିଲେ

ଖଣ୍ଡଗିରି : ଗୁରୁବାର କମିସନରେଟ୍‌ ପୁଲିସ ନିଶାଦିଆ ଲୁଟେରାଙ୍କ ଶିକାର ପାଲଟିଥିବା ୩ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଛି। ସେମାନେ ହେଲେ, ବୌଦ୍ଧ ଜିଲ୍ଲା ନାରଣପୁର ଗାଁର ନରେନ୍ଦ୍ର ଦିସେରି(୨୩), ଗୋବିନ୍ଦପୁର ଗାଁର ସିଦ୍ଧାନ୍ତ ନାଏକ (୨୫) ଓ ବାଲେଶ୍ବର ଖଇରା ଥାନା ଲକ୍ଷ୍ମୀଦେଇପୁର ଗାଁର ରବୀନ୍ଦ୍ର ଜେନା(୨୭)। ନରେନ୍ଦ୍ର ଓ ସିଦ୍ଧାନ୍ତ ଗତରାତିରେ ବରମୁଣ୍ଡାରେ ବସ୍‌ରୁ ଓହ୍ଲାଇବା ପରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ଚା’‌ରେ ନିଶା ଦେଇ ଲୁଟେରାମାନେ ତାଙ୍କଠାରୁ ଯଥାକ୍ରମେ ୩ ହଜାର ଓ ୨ ହଜାର ଟଙ୍କା ଲୁଟି ନେଇଥିବା ସେମାନେ କହିଛନ୍ତି। ସେହିଭଳି ବେଙ୍ଗାଲୁରୁରେ କାମ କରୁଥିବା ରବୀନ୍ଦ୍ର ଗତରାତି‌ରେ ଭୁବନେଶ୍ବର ରେଳ ଷ୍ଟେସନରୁ ଏକ ଅଟୋରେ ବରମୁଣ୍ଡା ଆସିବା ବେଳେ ଉକ୍ତ ଅଟୋଚାଳକ ତାଙ୍କୁ ବାଟରେ ଚା’ ଯାଚିଥିଲା। ଚା ପିଇବା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଲୁଟେରା ଜଣଙ୍କ ତାଙ୍କଠାରୁ ୪ ହଜାର ଟଙ୍କା ନେଇ ଯାଇଥିଲା। ଆଜି ସକାଳୁ ତାଙ୍କୁ ବିଏମ୍‌ସି ମାର୍କେଟ୍‌ ପାଖରୁ ଅଚେତ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା। ‘ସହାୟ’ ପକ୍ଷରୁ ଚିକିତ୍ସାରେ ସହଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର