କଦଳୀ ଗୋଦାମ ମାଲିକଙ୍କୁ ଲୁଟ୍‌

ଗିରଫ ହେଲା କର୍ମଚାରୀ, ୩ ଲକ୍ଷ ଟଙ୍କା ଜବତ

ଖଣ୍ଡଗିରି/ବାରଙ୍ଗ : ଜଣେ କଦଳୀ ଗୋଦାମ ମାଲିକଙ୍କ ୩ ଲକ୍ଷ ଟଙ୍କା ଚୋରି କରି ଫେରାର୍‌ ହେବାକୁ ବସିଥିବା କର୍ମଚାରୀକୁ ଚନ୍ଦକା ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗ ଚବିଶପ୍ରଗଣା ଟିଟାଗଡ଼ ଥାନା ବାବନପୁରର ମିଲନ୍‌ ସିଂହ(୨୭)। ପୁଲିସ ତା’ ନିକଟରୁ ଚୋରି ହୋଇଥିବା ୩ ଲକ୍ଷ ଟଙ୍କା ଜବତ କରିଛି।

ପୁଲିସ ସୂଚନାନୁସାରେ ଚନ୍ଦକା ଥାନା ପାଣିଓରାଠାରେ ଅୟସ୍‌କାନ୍ତ ସ୍ୱାଇଁଙ୍କର ଏକ କଦଳୀଗୋଦାମ ରହିଛି। କିଛି ବର୍ଷ ହେଲା ମାଲିକ ଶ୍ରୀ ସ୍ୱାଇଁଙ୍କ ନିକଟରେ ମିଲନ୍‌ କ୍ୟାସ୍‌ କଲେକ୍‌ସନ୍‌ କର୍ମଚାରୀଭାବେ କାମ କରୁଥିଲା। ଗତ ୧ ତାରିଖ ପରଠାରୁ ମିଲନ୍‌ ଆଉ ଗୋଦାମକୁ ଆସିନଥିଲା କି ଆଦାୟ କରିଥିବା ଟଙ୍କାକୁ ଜମା କରିନଥିଲା। ପରେ ଜଣାଗଲା ଯେ ମିଲନ୍‌ ପ୍ରାୟ ୩ ଲକ୍ଷ ଟଙ୍କା ଆଦାୟ କରି ଫେରାର୍‌ ହୋଇଯାଇଛି। ତେଣୁ ଗୋଦାମ ମାଲିକ ଶ୍ରୀ ସ୍ୱାଇଁ ତୁରନ୍ତ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଚନ୍ଦକା ଥାନା ପୁଲିସ ସହ ଭୁବନେଶ୍ୱର ସ୍ପେଶାଲ୍‌ ସ୍କ୍ଵାଡ୍‌ ମିଲନ୍‌କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଗତରାତିରେ ତାକୁ ଧରିବା ପାଇଁ ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଏକ ଟିମ୍‌ ଛକି ବସିଥିଲା। କୋଲକାତା ଖସି ପଳାଇବା ପାଇଁ ଯୋଜନା କରୁଥିବା ମିଲନ୍‌ ସତକୁ ସତ ସେହିଠାରେ ହିଁ ପୁଲିସ ଜାଲରେ ପଡ଼ି ଯାଇଥିଲା। ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର