ସୁନା କିଣିବା ଆଳରେ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ

ଚନ୍ଦ୍ରଶେଖରପୁର: ସୁନା କିଣିବା ଆଳରେ ଜଣେ ଯୁବକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଉମାଶଙ୍କର ରାଓ(୩୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତା’ ଘର ଜାମସେଦପୁର ଅଞ୍ଚଳରେ। ତା’ ନିକଟରୁ ପୁଲିସ ଗୋଟିଏ ବାଇକ୍‌ ଜବତ କରିଛି। ଉମାଶଙ୍କର ପୁରୁଣା ସୁନା ବିକ୍ରି କରିବା ପାଇଁ ଜଟଣୀ ହାଟ ବଜାର ବାସିନ୍ଦା ବଣ୍ଡାରାମ ବେହେରାଙ୍କୁ ମୋବାଇଲ୍‌ରେ ଯୋଗାଯୋଗ କରିଥିଲା। ଗତ ୪ ତାରିଖରେ ଉଭୟ ଭୁବନେଶ୍ୱରସ୍ଥିତ ଜନତା ମଇଦାକୁ ଆସିଥିଲେ। ସେଠାରେ ଉମାଶଙ୍କରଙ୍କୁ ଟଙ୍କା ଦେବା ପାଇଁ ବଣ୍ଡାରାମ ବ୍ୟାଗ୍‌ରୁ ଦେଢ଼ ଲକ୍ଷ ଟଙ୍କା ବାହାର କରି ଗଣିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ବଣ୍ଡାରାମଙ୍କଠାରୁ ଟଙ୍କା ବ୍ୟାଗ୍‌ ଲୁଟ୍‌ କରି ପଳାଇବା ସହ ସାଥିରେ ଉମାକୁ ମଧ୍ୟ ନେଇଯାଇଥିଲେ। କିନ୍ତୁ ଉମା ବାଇକ୍‌ରୁ ଖସି ପଡ଼ିବାରୁ ସେଠାରେ ଥିବା କିଛି ସ୍ଥାନୀୟ ଲୋକ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ପଚରାଉଚରା କରିବାରୁ ସେ ହିଁ ଏପରି ଲୁଟର ଯୋଜନା କରିଥିଲା ବୋଲି ପୁଲିସ ଆଗରେ ମାନି ଯାଇଥିଲା। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର