ନେଇଗଲେ ୬ଲକ୍ଷରୁ ଊର୍ଧ୍ୱ ଟଙ୍କାର ସୁନା ଗହଣା

ଦିନ ଦ୍ଵିପ୍ରହରରେ ଘରେ ପଶି ଲୁଟ୍‌,

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଦିନ ଦ୍ଵିପ୍ରହରରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନ ଘର ତାଲା ଭାଙ୍ଗି ୬ ଲକ୍ଷରୁ ଊର୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ବ୍ରହ୍ମେଶ୍ୱର ମନ୍ଦିର ନିକଟ ପ୍ଲଟ୍‌ ନଂ୧୧୪/୫ର ତିନି ମହଲା ଘରେ ରହୁନ୍ତି ରବୀନ୍ଦ୍ର ନାରାୟଣ ମହାନ୍ତି। ତାଙ୍କ ପତ୍ନୀ, ପୁଅ ଓ ବୋହୂ ଦୁଇ ଦିନ ହେଲା ସିକାକୁଲମ ବୁଲିବାକୁ ଯାଇଛନ୍ତି। ତେବେ ତଳ ମହଲାରେ ଅନ୍ୟ ପରିବାର ରହୁଥିବା ବେଳେ ଆଜି ପୂର୍ବାହ୍ଣ ସାଢ଼େ ୧୧ଟାରେ ରବୀନ୍ଦ୍ର ଅଫିସ୍‌କୁ ଯାଇଥିଲେ। ସେ ଅପରାହ୍ଣ ୫ଟାରେ ଆସି ଦେଖନ୍ତିତ କେହି ଦୁର୍ବୃତ୍ତ ତାଙ୍କ କବାଟ ତାଡ଼ି ଘରୁ ସୁନା ଗହଣା ଲୁଟି ନେଇଛି। ଦୁଇଟି ଆଲମିରା ତଡ଼ା ଯାଇଛି। ଆଲ୍‌ମିରାରୁ ସୁନା ଚେନ୍‌, ଗୋଟିଏ ସୁନା ବ୍ରେସ୍‌ଲେଟ୍‌, ୨ଟି ବଡ଼ ହାର, ୨ଟି ମୁଦି, ୩ ହଳ କାନ ଫୁଲ, ୨ହଳ ସୁନା ଚୁଡ଼ି ଓ ନଗଦ ୧୦ହଜାର ଟଙ୍କା ଲୁଟ୍‌ ହୋଇଛି। ଏ ନେଇ ଶ୍ରୀ ମହାନ୍ତି ବଡ଼ଗଡ଼ ଥାନା ପୁଲିସକୁ ଖବର ଦେବା ସହ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ସମୁଦାୟ ୬ଲକ୍ଷରୁ ଊର୍ଧ୍ୱ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁଲିସର ଏକ ଟିମ୍‌ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି। ତିନି ମହଲା ଉପରେ କେହି ନଥିବା ଲୁଟେରାମାନେ ଜାଣିଲେ କିପରି ଏନେଇ ପୁଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରୁଛି ବୋଲି କହିଛି ।

ସମ୍ବନ୍ଧିତ ଖବର