ନିଶା ଦେଇ ପରୀକ୍ଷାର୍ଥୀଙ୍କୁ ଲୁଟିଲେ

ଖଣ୍ଡଗିରି : ରବିବାର ରାଜଧାନୀରେ ପୁଣି ଜଣେ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ସେ ହେଲେ କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ଗାଁର ପ୍ରମୋଦ ପ୍ରଧାନଙ୍କ ପୁଅ ଦିବ୍ୟଜ୍ୟୋତି(୨୨)। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ ଫୋନ୍ ଓ ଟଙ୍କା ପଇସା ଲୁଟି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ସୂଚନାନୁସାରେ ସେ ରେଳବାଇର ଏକ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଆସିଥିଲେ। ସନ୍ଧ୍ୟାରେ ସେ ବସ୍ ଯୋଗେ କେନ୍ଦୁଝର ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ଆସିଥିଲେ। ସେଠାରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିବା ଅନୁମାନ କରାଯାଉଛି। ଆଜି ସକାଳୁ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ମାର୍କେଟ୍ ବିଲ୍ଡିଂଠାରୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ କ୍ୟାପିଟାଲ ହସ୍ପିଟାଲର ଟିମ୍ ତାଙ୍କ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ ।

ଭେରାଇଟି ଦୋକାନରୁ ଚୋରି

ଖଣ୍ଡଗିରି : ରବିବାର ବିଳମ୍ବିତ ରାତିରେ ଚନ୍ଦକା ବଜାରସ୍ଥିତ ଏକ ଭେରାଇଟି ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ଏ ନେଇ ଦୋକାନ ମାଲିକ ଉତ୍କଳିକା ସେଠୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି। ଉତ୍କଳିକାଙ୍କ ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନରୁ ସିଗାରେଟ୍, ସାବୁନ, ତେଲ ଭଳି ବହୁ ଦାମୀ ସାମଗ୍ରୀ ସହ ତାଙ୍କ କ୍ୟାସ୍ ବାକ୍ସରେ ଥିବା ପ୍ରାୟ ୨ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଚନ୍ଦକା ବଜାର ଉପରେ ମୁଖ୍ୟ ରାସ୍ତାରେ ଥିବା ଏହି ଦୋକାନରୁ ଚୋରି ହୋଇଥିବାରୁ ପୁଲିସ ପାଟ୍ରୋଲିଂକୁ ନେଇ ଲୋକେ ପ୍ରଶ୍ନବାଚୀ ଉଠାଇଛନ୍ତି।

ସମ୍ବନ୍ଧିତ ଖବର