ଭୁଜାଲି ଲଗାଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ପୁରୁଣା ଭୁବନେଶ୍ୱର: ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଭୁଜାଲି ଲଗାଇ ଦୁଇ ଦୁର୍ବୃତ୍ତ ସୁନା ଚେନ୍‌ ଓ ମୁଦି ଲୁଟି ନେଇଛନ୍ତି। ଲୁଟ୍‌କୁ ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତ ଦ୍ୱୟ ଆକ୍ରମଣର କରିଥିଲେ। ଏନେଇ ଲୁଟ୍‌ର ଶିକାର ହୋଇଥିବା ପଞ୍ଚାନନ ରାଉତ ଏୟାର ଫିଲ୍‌ଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଅରମ୍ଭ କରିଛି।

ସୂଚନାନୁଯାୟୀ ଏୟାରଫିଲ୍‌ଡ ଥାନା ଅଧୀନରେ ଥିବା ନିୟୁ ଫରେଷ୍ଟ ପାର୍କ, ଲେନ୍‌ ୬ରେ ରହୁଥିବା ପଞ୍ଚାନନ ରାଉତ ନାମକ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଆଜି ଭୋର ୫ ଟା ୩୦ ମିନିଟ୍‌ ସମୟରେ ପ୍ରାତଃଭ୍ରମଣ କରିବା ପାଇଁ ବିଜୁ ପଟ୍ଟନାୟକ ପାର୍କ ଯାଉଥିଲେ। ଘରଠାରୁ କିଛି ବାଟ ଆସିବା ପରେ ଏକ ନମ୍ବର ନଥିବା ସ୍କୁଟରରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପାଖକୁ ଆସି ହଠାତ ତାଙ୍କୁ ଭୁଜାଲି ଦେଖାଇ ସେ ପିନ୍ଧିଥିବା ୨୦ ଗ୍ରାମର ସୁନା ଚେନ ଓ ୯ ଗ୍ରାମର ମୁଦି ଛଡ଼ାଇବାକୁ ଆରମ୍ଭ କରିଥିଲେ। ପଞ୍ଚାନନ ଏହାକୁ ବିରୋଧ କରିବାରୁ ସ୍କୁଟର୍‌ ପଛରେ ବସିଥିବା ଯୁବକ ଏକ ଭୁଜାଲିର ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ପଞ୍ଚାନନ ତଳେ ପଡ଼ିଯାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଅବସ୍ଥାରେ ସେମାନେ ତାଙ୍କ ବେକରୁ ଚେନ୍‌ ଓ ମୁଦି ନେଇ ଚାଲିଯାଇଥିଲେ ବୋଲି ପଞ୍ଚାନନ କହିଛନ୍ତି।

ସମ୍ବନ୍ଧିତ ଖବର