ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟିଲେ: ବାଇକ୍‌, ଟଙ୍କା ଓ ମୋବାଇଲ୍‌ ଲୁଟ୍‌

ପୁରୁଣା ଭୁବନେଶ୍ୱର: ଦୁଇ ଦିନ ତଳେ ଘରକୁ ଫେରୁଥିବା ବେଳେ ଜଣେ ବ୍ୟବସାୟୀ ନିଜ ଘର ପାଖରେ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ଏକ ବାଇକ୍‌ରେ ଆସି ବ୍ୟବସାୟୀଙ୍କ ହାତକୁ ଏକ ଖଣ୍ଡାରେ ହାଣି ତାଙ୍କ ବାଇକ୍‌, ଟଙ୍କା, ମୋବାଇଲ୍‌ ଓ ଦୋକାନ ସାମଗ୍ରୀ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି। ଆହତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ କୁଞ୍ଜପାଟଣା ସାହିର ରାଜ କିଶୋର ପାତ୍ର(୫୨)।

ମିଳିଥିବା ସୂଚନା ଅନୁଯାୟୀ ରାଜ କିଶୋର ଶିଶୁ ଭବନ ଫ୍ଳାଇଓଭର ତଳେ ପାନ ମସଲା ବ୍ୟବସାୟ କରନ୍ତି। ସେ ରାତି ପ୍ରାୟ ୧୧ଟାରେ ନିଜ ଆକ୍ଟିଭା(ଓଆର୍‌୦୨ବିଭି୪୧୦୯)ରେ ଘରକୁ ଫେରୁଥଲେ। ତେବେ କୁଞ୍ଜପାଟଣା ସାହି ପାଖରୁ ଏକ ପଲସର୍‌ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ସେ ଘର ପାଖରେ ପହଞ୍ଚିବା ବେଳକୁ ଏକ ଅନ୍ଧାରିଆ ସ୍ଥାନରେ ତାଙ୍କ ଗାଡ଼ି ଆଗରେ ୩ଜଣ ବାଇକ୍‌ ରଖି ଅଟକାଇଥିଲେ। ସେ କିଛି କହିବା ପୂର୍ବରୁ ମଝିରେ ବସିଥିବା ଯୁବକ ଜଣକ ବାଇକ୍‌ରୁ ଓହ୍ଲାଇ ରାଜକିଶୋରକୁ ଏକ ଖଣ୍ଡାରେ ଚୋଟ ପକାଇବା ଆରମ୍ଭ କରିଥିଲା। ସେପଟେ ପଛରେ ବସିଥିବା ଯୁବକ ଜଣକ ରାଜିକିଶୋରଙ୍କୁ ଟଙ୍କା ନଦେଲେ ଆଜି ମାରିଦେବୁ ବୋଲି କହିବା ସହ ତାଙ୍କ ପକେଟ୍‌ରୁ ୨ହଜାର ଟଙ୍କା, ମୋବାଇଲ୍‌, ୧୦କେଜି ଗୁଆ ଓ ବାଇକ୍‌ ଛଡ଼ାଇ ନେଇଥିଲା। ରାଜିକିଶୋର ହାତରେ ୮ଥର ଖଣ୍ଡା ଚୋଟ ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ। କିଛି ସମୟ ପରେ ପଡ଼ୋଶୀଙ୍କ ସହାୟତାରେ ବିଏମ୍‌ସି ହସ୍ପିଟାଲରେ ପହଞ୍ଚି ଚିକିତ୍ସା କରାଇଥିଲେ। ତାଙ୍କ ଦେହରେ ୧୮ଟି ଷ୍ଟିଚ୍‌ ପଡ଼ିଛି। ଏନେଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର