ଯୁବକଙ୍କୁ ଲିଫ୍ଟ ମାଗି ଲୁଟିଲେ

ଭୁବନେଶ୍ୱର: ଜଣେ ଯୁବକଙ୍କୁ ଗାଡ଼ିରେ ଲିଫ୍ଟ ମାଗିବା ପରେ ତାଙ୍କୁ ଆକ୍ରମଣ କରି ମୋବାଇଲ୍‌ ଫୋନ୍‌ ଓ ସୁନା ଚେନ୍‌ ଲୁଟିନେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ଜଣ ଲୁଟେରାକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୪ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ସୁନା ଚେନ୍‌ ଜବତ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ତଳସାହି ଅଞ୍ଚଳର ଜଗୁ ଓରଫ ପ୍ରଦୀପ ପ୍ରଧାନ(୩୩) ଓ କଟକରୋଡ୍‌ ବଙ୍ଗାଳିସାହି ଅଞ୍ଚଳର ଦୀପକ ଦାସ(୨୫)।

ପୁଲିସ ସୂଚନା ମୁତାବକ, ଗତ ୨୨ ତାରିଖ ରାତିରେ ସ୍ୱରାଜ ରତ୍ନା ପଟ୍ଟନାୟକ ନାମକ ଜଣେ ଯୁବକ ଲକ୍ଷ୍ମୀସାଗର କେନାଲ୍‌ ରୋଡ୍‌ରେ ଯାଉଥିବା ସମୟରେ ହଠାତ୍‌ ଜଗୁ ରାସ୍ତା ଉପରକୁ ଚାଲିଆସି ଲିଫ୍ଟ ମାଗିଥିଲା। ସ୍ୱରାଜ ଅଟକିବା ମାତ୍ରେ ଜଗୁ ଓ ତାର ସହଯୋଗୀ ଦୀପୁ ମିଶି ସ୍ୱରାଜଙ୍କୁ ଅଚାନକ ଆକ୍ରମଣ କରିଥିଲେ। ସ୍ୱରାଜ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କ ମୋବାଇଲ୍‌ ଫୋନ୍‌ ଓ ସୁନା ଚେନ୍‌ ନେଇ ଯାଇଥିଲେ। ଏନେଇ ସ୍ୱରାଜ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର