‘ଓଲା’ ଚାଳକକୁ ମାଡ଼ ମାରି ଲୁଟ୍‌, ୪ ଗିରଫ

0

ଖଣ୍ଡଗିରି: ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରୁ ଜଣେ ଓଲା କାର୍ ଚାଳକକୁ ମାଡ଼ ମାରି ଲୁଟ୍‌ କରିଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଜାଗମରା ଦଳିତ ସାହି ଅଞ୍ଚଳର ସନ୍ଦେଶ ଭଟ୍ଟ(୨୦), ତପନ‌ ଭୋଇ(୧୯), ଆଇଗିଣିଆ ଅଞ୍ଚଳର ଶ୍ରୀଧର ପଟ୍ଟନାୟକ ଓରଫ୍ ହରିଆ ଓ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଫେଜ୍-୧ର ମାନସ ସେଠୀ। ପୁଲିସ ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଖୋର୍ଧା ମୁକୁନ୍ଦପ୍ରସାଦର ସନ୍ତୋଷ ବେହେରା ଓଲା କାର୍ ନେଇ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ସେ ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ୪ ଜଣ ତାଙ୍କୁ ଅଟକାଇଥିଲେ। ଏକ ଭଡ଼ା ପାଇଯିବା ଆଶାରେ ସନ୍ତୋଷ ଗାଡ଼ି ଅଟକାଇଥିଲେ। କିନ୍ତୁ ଅତର୍କିତଭାବେ ୪ ଜଣଯାକ ତାଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ ଓ ପକେଟ୍ ରୁ ପର୍ସ ବାହାର କରି ସେଥିରୁ ୪ ହଜାର ୫ ଶହ ଟଙ୍କା ଛଡ଼ାଇ ନେଇ ପଳାଇଥିଲେ। ତୁରନ୍ତ ସନ୍ତୋଷ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ବିଭିନ୍ନ ଢାବା ଓ ହୋଟେଲ ଆଦି ସ୍ଥାନରେ ଚଢ଼ଉ କରିବା ପରେ ଅଭିଯୁକ୍ତମାନଙ୍କ ପତ୍ତା ପାଇ ଯାଇଥିଲା। ପରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଅଞ୍ଚଳରେ ଚଢ଼ଉ କରି ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ପୁଲିସ ୩ ହଜାର ୬ ଶହ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.