ଦିନରେ ସଟର୍‌ ତାଡ଼ିଲେ, କବାଟ ଭାଙ୍ଗି ଲୁଟିଲେ

ଖଣ୍ତଗିରି: ବୁଧବାର ଦିନ ଦ୍ବିପ୍ରହରରେ ସ୍ଥାନୀୟ ପଞ୍ଚସଖାନଗରରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଘରର ସଟର୍‌ ତାଡ଼ି କବାଟ ଭାଙ୍ଗି ପ୍ରାୟ ୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଘରେ କେହି ନଥିବାର ସୁଯୋଗରେ ଦୁର୍ବୃତ୍ତମାନେ ଏଭଳି କାଣ୍ତ କରିଛନ୍ତି। ଘରେ ଦାମୀ ଜିନିଷ ଥିଲେ ମଧ୍ୟ ଦୁର୍ବୃତ୍ତମାନେ କେବଳ ସୁନାଗହଣାକୁ ଟାର୍ଗେଟ୍‌ କରିଥିବାରୁ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଏ ନେଇ ଖଣ୍ତଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନାନୁସାରେ ପଞ୍ଚସଖାନଗର ପ୍ଲଟ୍‌ ନମ୍ବର ୬୩୫/୨୮୬୯ରେ କିଶୋରଚନ୍ଦ୍ର ମିଶ୍ରଙ୍କ ପରିବାର ରହୁଛନ୍ତି। ଘରର ୪ ଜଣଯାକ ସଦସ୍ୟ ଚାକିରି କରନ୍ତି। ପ୍ରତିଦିନ ଭଳି ସେମାନେ ଆଜି ପୂର୍ବାହ୍ଣ ୧୦ଟା‌ରେ ନିଜ ନିଜ କର୍ମକ୍ଷେତ୍ରକୁ ଚାଲି ଯାଇଥିଲେ। ଅପରାହ୍ଣ ସାଢେ଼ ୪ଟାବେଳକୁ ଘରକୁ ଫେରିଥିଲେ। ସେମାନେ ଘରେ ପଞ୍ଚିବା ପରେ ଘରର ମୁଖ୍ୟ ସଟର୍‌ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ତଳ ମହଲାର କବାଟ ତାଲା ମଧ୍ୟ ଭଙ୍ଗା ହୋଇଥିବା ଜଣାପଡ଼ିଥିଲା। କିନ୍ତୁ କୌଣସି କାରଣରୁ ଏହି କବାଟକୁ ଦୁର୍ବୃତ୍ତମାନେ ଖୋଲି ନପାରି ଘରେ ପଶି ପାରି ନଥିଲେ। ତେବେ ଉପରମହଲାରେ କବାଟ ତାଲା ଭାଙ୍ଗି ଆଲମାରି ତାଡ଼ି ଲୁଟ୍‌ କରିଥିଲେ। ଚୋରି ହୋଇଥିବା ଜିନିଷ ମଧ୍ୟରେ ୪ଟି ହାର, ୨ଟି ବଡ଼ ଚେନ୍, ୪ ହଳ ଚୁଡ଼ି ଓ ୧୧ଟି ମୁଦି ରହିଛି। ଲୁଟ୍‌ ଗହଣାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ ଘର ଭିତରେ ଲାପଟପ୍, କ୍ୟାମେରା ଭଳି ଦାମୀ ଜିନିଷ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ଅନ୍ୟ କିଛି ନେଇ ନଥିବା ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର