ଛିନ୍‌ତାଇ ଅଭିଯୋଗରେ ଜଣେ ଅଟକ

ଖଣ୍ଡଗିରି: ୧୬ନମ୍ବର ଜାତୀୟ ରାଜପଥରେ ଛିନ୍‌ତାଇ କରୁଥିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୁସ୍ତାକ ଅଲ୍ଲୀ ନାମକ ଏହି ଯୁବକଜଣଙ୍କ ସ୍ଥାନୀୟ ଯଦୁପୁର ଟାଙ୍ଗିସାହି ଅଞ୍ଚଳର ବୋଲି ସୂଚନା ମିଳିଛି। ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ପଳାଉଥିବା ବେ‌ଳେ ଦୁର୍ବୃତ୍ତଜଣଙ୍କ ପିସିଆର୍ କର୍ମଚାରୀମାନଙ୍କ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଗୁରୁବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଡିଏନ୍‌ ରେଗାଲିଆ ଆଇନକ୍ସର ଜଣେ ମହିଳା କର୍ମଚାରୀ ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ସେ ସର୍ଭିସ୍‌ ରୋଡ୍‌ରେ ଚାଲି ଚାଲି ଯାଉଥିବା ବେଳେ ଏକ ଆପାଚି(ଓଆର୍୦୨ବିବି-୨୦୬୮)‌‌ରେ ଅଭିଯୁକ୍ତ ମୁସ୍ତାକ ତାଙ୍କ ବେକରୁ ସୁନାଚେନ୍‌ ଛିଡ଼ାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ପୂର୍ବରୁ ଜାଣିପାରି ଯୁବତୀଜଣଙ୍କ ଘୁଞ୍ଚି ଯିବାରୁ ଚେନ୍‌ଟି ଲୁଟେରା ହାତରେ ଲାଗିନଥିଲା। ଚେନ୍ ନ ଛିଡ଼ିବାରୁ ମୁସ୍ତାକ ବାଇକ୍‌ରୁ ଓହ୍ଲାଇ ପୁଣି ଯୁବତୀଙ୍କଠାରୁ ଚେନ୍‌ ଛଡ଼ାଇ ନେବାକୁ ବସିଥିଲା। ମାତ୍ର ଠିକ୍‌ ସେତିକି ବେଳକୁ ରାଜପଥରେ ପାଟ୍ରୋଲିଂ କରୁଥିବା ତମାଣ୍ଡୋ ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ମୁସ୍ତାକ ବାଇକ୍‌ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ବସିଥିଲା। କିନ୍ତୁ ଗୋଡ଼ାଇ ଗୋଡ଼ାଇ ପୁଲିସ କର୍ମଚାରୀମାନେ ତାକୁ କାବୁ କରି ନେଇଥିଲେ। ତଥାପି ବାଇକ୍‌ ଛାଡ଼ି ଖସିଯିବା ପାଇଁ ସେ ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରିଥିଲା। ମୁସ୍ତାକକୁ ପଚରାଉଚରା ଚାଲିଥିବାରୁ ତା’ ବାବଦରେ ଅଧିକ ତଥ୍ୟ ମିଳିପାରିନାହିଁ। ପୁଲିସ ତା’ର ପୂର୍ବ ରେକର୍ଡ ଯାଞ୍ଚ କରୁଥିବା ବେଳେ ଆଜିର ମାମଲା ପଛରେ ଆଉ କିଛି କାରଣ ଥିବା ସନ୍ଦେହ କରି ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର