ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ ଘଟଣା, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରବିବାର ଅପରାହ୍ଣରେ ବମିଖାଲ ଲେଭେଲ୍‌ କ୍ରସିଂ ନିକଟରେ ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ ଘଟଣାରେ ସହିଦନଗର ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ, ୟୁନିଟ୍‌-୩ ଶାନ୍ତିନଗର ଅଞ୍ଚଳର ସେକ୍‌ ଅମ୍‌ଜାଦ(୧୯) ଓ ସେକ୍‌ କୁରବାନ୍‌(୧୯)। ପ୍ରକାଶଥାଉ କି, ରବିବାର ଅପରାହ୍ଣ ସାଢ଼େ ୨ଟା‌ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ପୁଅ ବୈଭବ ଭବାନୀ ମଲ୍‌ରୁ ସପିଂ କରି ଘରକୁ ଫେରୁଥିଲେ। ସେ ବମିଖାଲ ଲେଭେଲ୍‌ କ୍ରସିଂ ନିକଟରେ ଯାଉଥିବା ବେଳେ ହଠାତ୍‌ ଏକ ବସ୍ତା ତାଙ୍କ ଗାଡ଼ି ସମ୍ମୁଖକୁ ଗଡ଼ି ଆସିଥିଲା। ସେ ତୁରନ୍ତ ବ୍ରେକ୍‌ ଲଗାଇଥିଲେ। ଆଉ ଗାଡ଼ି ଅଟକାଇବା ମାତ୍ରେ ୪-୫ ଯୁବକ ତାଙ୍କୁ ହାତଠାରି ଜିନିଷ ପଡ଼ି ଯାଇଥିବା କହିଥିଲେ। କ’ଣ ପଡ଼ିଛି ବୋଲି ଦେଖିବାକୁ ଯାଉଥିବା ବେଳେ ଯୁବକମାନେ ତାଙ୍କ ନିକଟକୁ ଆସି ମାରପିଟ୍‌ କରିଥିଲେ। ତାଙ୍କ ବ୍ରେସ୍‌ଲେଟ୍‌ ଓ ଚେନ୍‌ ଛଡ଼ାଇ ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର