ଏଟିଏମ୍‌ କାର୍ଡ ବଦଳ କରି ଟଙ୍କା ନେଇଗଲେ

ଭୁବନେଶ୍ୱର: ଏଟିଏମ୍‌ କାର୍ଡ ବଦଳ କରି ଜଣେ ଯୁବକ ୪୦ ହଜାର ଟଙ୍କା ଉଠାଇ ନେଇଛି। ଏ ନେଇ ଲୁଟର ଶିକାର ହୋଇଥିବା ଯୁବକ ସୁଶାନ୍ତ କୁମ୍ଭାର ନ୍ୟାୟ ଆଶାରେ ମଞ୍ଚେଶ୍ୱର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ପୁଲିସ ତାଙ୍କ ଅଭିଯୋଗ ରଖିବା ବଦଳରେ ଫେରାଇ ଦେଇଥିବା ଶ୍ରୀ କୁମ୍ଭାର ଅଭିଯୋଗ କରିଛନ୍ତି। ଶ୍ରୀ କୁମ୍ଭାରଙ୍କ ଅଭିଯୋଗ ଅନୁଯାୟୀ ସେ ବୌଦ୍ଧରେ ଠିକାଦାରୀ କରନ୍ତି। ଦୁଇ ଦିନ ତଳେ ପ୍ଲାଏ କିଣିବାକୁ ଭୁବନେଶ୍ୱର ଆସିଥିଲେ। ଟଙ୍କା ଉଠାଇବାକୁ ଥାନା ସମ୍ମୁଖରେ ଥିବା ଏଟିଏମ୍‌କୁ ଯାଇଥିଲେ। ପ୍ରଥମେ ୪୦ ହଜାର ଟଙ୍କା ଉଠାଇ ଦୋକାନୀଙ୍କୁ ଦେଇଥିଲେ। ପରେ ଆଉ ୪୦ ହଜାର ଟଙ୍କାର ଦରକାର ପଡ଼ିଥିଲା। ସେ ପୁଣି ସେହି ଏଟିଏମ୍‌କୁ ଯାଇ ଟଙ୍କା ଉଠାଇ ଥିଲେ, କିନ୍ତୁ ଟଙ୍କା ବାହାରି ନଥିଲା। ଏହି ସମୟରେ ତାଙ୍କ ପଛପଟେ ହେଲମେଟ୍‌ ପିନ୍ଧି ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କଠାରୁ ଏଟିଏମ୍‌ କାର୍ଡ ମାଗି ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଟଙ୍କା ଉଠି ନଥିଲା। ମାତ୍ର ଚତୁରତାର ସହ ଏଟିଏମ୍‌କୁ ନିଜ ପାଖରେ ରଖି ବ୍ଲକ୍‌ ହୋଇଥିବା ଅନ୍ୟ ଏକ ଏଟିଏମ୍‌ କାର୍ଡ ଦେଇ ପଳାଇ ଯାଇଥିଲେ। ପରେ ଟଙ୍କା ଉଠାଇବାକୁ ଗଲା ବେଳେ ସେ ଏଟିଏମ କାର୍ଡ ତାଙ୍କର ନୁହେଁ ବୋଲି ଜାଣିବାକୁ ପାଇଥିଲେ। ସେତେବେଳକୁ ତାଙ୍କ ଆକଉଣ୍ଟ୍‌ରୁ ପ୍ରାୟ ୪୦ ହଜାର ଟଙ୍କା ଉଠା ହୋଇ ସାରିଥିଲା। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗ ରଖି ନ ଥିବା ସୁଶାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର