୩ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ

ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କଳିଙ୍ଗନଗର କେ-୮ ଅଞ୍ଚଳରେ ୪ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ୨ ଜଣଙ୍କୁ ଭୟଭୀତ କରାଇବା ପରେ ସେମାନଙ୍କଠାରୁ ଟଙ୍କା ପଇସା, ସୁନାଚେନ୍‌ ଆଦି ଲୁଟପାଟ୍‌ କରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବକମାନେ ହେଲେ ଘାଟିକିଆ ଅଞ୍ଚଳର ସଂଜୟ ବାଉତ ଓ ସହିଦନଗର ଅଞ୍ଚଳର ବିଶ୍ବବିକାଶ ଗୁରୁ। ସଂଜୟଙ୍କଠାରୁ ୨୬ ହଜାର ଟଙ୍କା, ସୁନାଚେନ୍‌ ଓ ମୋବାଇଲ୍‌ ଲୁଟ୍‌ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ବିଶ୍ବଙ୍କଠାରୁ ଲୁଟେରାମାନେ କେବଳ ମୋବାଇଲ୍‌ ଲୁଟି ନେଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୧ଟା ବେଳେ ସମ୍ ହସ୍ପିଟାଲରେ ବାଇକ୍‌ ଷ୍ଟାଣ୍ଡ୍‌ କରିଥିବା ଘାଟିକିଆର ସଂଜୟ ନିଜ ବାଇକ୍‌ ଯୋଗେ ସମ୍ ହସ୍ପିଟାଲ ପଛପାର୍ଶ୍ବ ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ବିଶ୍ବବିକାଶ ବାଇକ୍‌ ସହ ତଳେ ପଡ଼ିଥିବା ଦେଖିଥିଲେ। ତାଙ୍କ ମୁହଁ ଓ ହାତ ଖଣ୍ଡିଆଖାବରା ହୋଇଯାଇଥିଲା। ତାଙ୍କୁ ସାହାଯ୍ୟ କରିବାକୁ ସଂଜୟ ଅଟକିଗଲେ। ଏତିକି ବେଳେ ହଠାତ୍ ୨ଟି ବାଇକ୍‌ରେ ୪ ଜଣ ଯୁବକ ସେଠାରେ ପହଞ୍ଚି ସଂଜୟଙ୍କୁ ସେଠାରୁ ପଳାଇବାକୁ ଧମକ ଦେଇଥିଲେ। ବିଶ୍ବ ସେମାନଙ୍କୁ ସାଇଡ୍‌ ମାରି ପଳାଇ ଆସିଛି ଓ ସେମାନେ ତାକୁ ପିଛା କରୁଛନ୍ତି ବୋଲି ସେମାନେ କହିଥିଲେ। ସ୍ଥାନୀୟ ଯୁବକ ହୋଇଥିବାରୁ ସଂଜୟ ସେମାନଙ୍କ ଧମକରେ ଡରି ନଯାଇ ବିଶ୍ବଙ୍କୁ ମେଡିକାଲରେ ଭର୍ତି କରିବାକୁ ବାହାରିଥିଲେ। ହଠାତ୍ ଉକ୍ତ ୪ଜଣ ଯାକ ସେମାନଙ୍କୁ ଘେରି ଯାଇଥିଲେ ଓ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲେ। ବିଶ୍ବଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିବା ବେଳେ ସଂଜୟଙ୍କ ପକେଟ୍‌ରୁ ୨୬ ହଜାର ଟଙ୍କା, ବେକରୁ ସୁନାଚେନ୍ ଓ ମୋବାଇଲ୍‌ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ। ପୁଲିସ ସୂଚନାନୁସାରେ, ଅଭିଯୋଗ ପାଇବା ପରେ ଘଟଣାର ଖୋଳତାଡ଼ ଚାଲିଛି।

ସମ୍ବନ୍ଧିତ ଖବର