ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ

ମାତିଛନ୍ତି ଗ୍ରିଲ୍‌ ତଡ଼ା ଗ୍ୟାଙ୍ଗ୍‌

ଖଣ୍ଡଗିରି : ଖଣ୍ଡଗିରି ଅଞ୍ଚଳରେ ମାତିଛନ୍ତି ଗ୍ରିଲ୍‌ ତାଡ଼ି ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌। ଦୁଇ ଦିନ ତଳେ ଏହି ଗ୍ୟାଙ୍ଗ୍‌ ବିଖ୍ୟାତ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଘରୁ ଚୋରି କରିଥିବାବେଳେ ପୁଣି ଶୁକ୍ରବାର ରାତିରେ ଆଇଗିଣିଆ ମଧୁସୂଦନନଗରର ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଛନ୍ତି। ଚୋରିର ଶିକାର ହୋଇଥିବା ବ୍ୟାଙ୍କ କର୍ମଚାରୀଙ୍କ ନାମ ଶେଷଦେବ ସାହୁ। ଗତରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରୁ ଏକ ବଡ଼ ଏଲ୍‌ଇଡି ଟିଭି, ଲାପଟପ୍‌ ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି।

ମଧୁସୂଦନନଗର ଡି-୬/୫ରେ ଭଡ଼ାରେ ରହୁଛନ୍ତି ଶେଷଦେବ। ଗତକାଲି ସେ ବାଙ୍କୀ ମହୋତ୍ସବ ଦେଖିବା ପାଇଁ ନିଜ ଘରକୁ ଯାଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘରେ ଲୁଟ୍‌ପାଟ୍‌ କରିଥିଲେ। ଆଜି ସକାଳେ ଖବର ପାଇ ଶେଷଦେବ ମଧୁସୂଦନନଗରରେ ପହଞ୍ଚିବା ପରେ ତାଙ୍କ ଘରର ଗ୍ରିଲ୍‌ ତାଲା କଟା ଯାଇଥିବା ଦେଖିବାକୁ ପାଇଥିଲେ। ଭିତର କବାଟର ତାଲା ମଧ୍ୟ କଟାଯାଇଥିଲା। ଆଉ ଚୋରମାନେ ସମସ୍ତ ଆଟାଚି ଭାଙ୍ଗି ଜିନିଷପତ୍ର ଛିନ୍‌ଛତ୍ର କରି ଫୋପାଡ଼ିଥିଲେ। ଦୁର୍ବୃତ୍ତମାନେ ଆଟାଚିରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ସହ କାନ୍ଥରୁ ଏଲ୍‌ଇଡି ଟିଭି ଓ ଏକ ଲାପଟପ୍‌ ଚୋରି କରି ନେଇଥିଲେ। ଏହା ଦେଖିବା ପରେ ତୁରନ୍ତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଶେଷଦେବଙ୍କ ଘର ନିକଟରେ ଏକ ସିସିଟିଭି ରହିଛି। ଏଥିରେ ଦୁର୍ବୃତ୍ତମାନଙ୍କ କାରାନାମାର ଫଟୋଚିତ୍ର କଏଦ୍‌ ହୋଇଥିବ ବୋଲି ଅନୁମାନ କରାଯାଉଛି। ପୁଲିସ ସିସିଟିଭି ଫୁଟେଜ୍‌ ଜବତ କରି ତଦନ୍ତ କରିବ ବୋଲି ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ଭରତପୁର ଅଞ୍ଚଳରେ ରହୁଥିବା ବିକେ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହାରଥାଙ୍କ ଘରୁ ଅନୁରୂପଭାବେ ଚୋରି ହୋଇଥିଲା। ଦିନ ଦି’ପହରେ ଶ୍ରୀ ମହାରଥାଙ୍କ ପରିବାର ଘରେ ନଥିବା ଦେଖି ଦୁର୍ବୃତ୍ତମାନେ ଗ୍ରିଲ୍‌ ତାଲା କାଟି ଘରେ ପଶିଥିଲେ ଓ ଟିଭି ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଥିଲେ। ଏହି ଦୁଇଟି ଚୋରିର ତରିକା ଏକା ହୋଇଥିବାରୁ ଖଣ୍ଡଗିରି ଅଞ୍ଚଳରେ ଗୋଟିଏ ଗ୍ରିଲ୍‌ ତଡ଼ା ଗ୍ୟାଙ୍ଗ ମାତିଥିବା ଆଲୋଚନା ହେଉଛି। ଗତ ମାସରେ ତମାଣ୍ଡୋ ଥାନା କଳିଙ୍ଗନଗର ଏମ୍‌ଆଇଜି କଲୋନି ଅଞ୍ଚଳରେ ଏମିତି ଏକ ଗ୍ୟାଙ୍ଗର ଚିତ୍ର ସିସିଟିଭି ଫୁଟେଜ୍‌ରେ ଥିଲା ଓ ତମାଣ୍ଡୋ ଥାନା ପୁଲିସ ଛାନ୍‌ଭିନ୍‌ କରିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସେହି ଗ୍ୟାଙ୍ଗ୍‌କୁ ଠାବ କରାଯାଇପାରିନାହିଁ।

ସମ୍ବନ୍ଧିତ ଖବର