ମୋବାଇଲ୍‌ ଷ୍ଟୋର୍‌ରୁ ଚୋରି, ସଟର୍‌ ତାଲା କାଟି ୪ ଲକ୍ଷ ଟଙ୍କାର ମୋବାଇଲ୍‌ ଲୁଟ୍‌

ଖଣ୍ଡଗିରି: ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବାରଭୁଜା ମାର୍କେଟ୍‌ କମ୍ପ୍ଲେକ୍ସସ୍ଥିତ ଏକ ମୋବାଇଲ୍‌ ଦୋକାନରୁ ଜଣେ ଦୁର୍ବୃତ୍ତ ପ୍ରାୟ ୪ ଲକ୍ଷ ଟଙ୍କାର ଦାମୀ ମୋବାଇଲ୍‌ ଲୁଟି ନେଇଛି। ସଟର୍‌ ତାଲା କାଟି ଦୁର୍ବୃତ୍ତଜଣଙ୍କ ଲୁଟ୍‌ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି ଓ ଖଣ୍ଡଗିରି ଥାନା ପୁଲିସ ଉକ୍ତ ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଜଣଙ୍କର ମୁହଁ ସ୍ପଷ୍ଟ ଜାଣି ହେଉଥିଲେ ବି ସେ ଏହି ଅଞ୍ଚଳ ପାଇଁ ନୂଆ ବୋଲି ପୁଲିସ ପ୍ରାଥମିକ ଯାଞ୍ଚରୁ ଜାଣିବାକୁ ପାଇଛି। ତେବେ ଦୁର୍ବୃତ୍ତର ତାଲା ଭାଙ୍ଗିବା ଓ ସଟର୍‌ ତଳେ ଗୁରୁଣ୍ଡି ଗୁରୁଣ୍ଡି ଦୋକାନ ଭିତରେ ପଶିବା ଷ୍ଟାଇଲ୍‌ରୁ ସେ ଜଣେ ପେସାଦାର ସିନ୍ଧିଚୋର ବୋଲି ଜଣାପଡ଼ିଛି।

ସୂଚନାନୁସାରେ ବାରଭୁଜା ମାର୍କେଟ୍‌ କମ୍ପ୍ଲେକ୍‌ସରେ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କର ମହାବୀର ମୋବାଇଲ୍‌ ଷ୍ଟୋର୍‌ ରହିଛି। ଗତକାଲି ସେ ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍‌-୨ସ୍ଥିତ ଘରକୁ ଚାଲି ଯାଇଥିଲେ। ରାତି ପ୍ରାୟ ୧.୧୦ବେଳକୁ ଜଣେ ଦୁର୍ବୃତ୍ତ ତାଙ୍କ ଦୋକାନ ନିକଟକୁ ଆସିଥିଲା। ପିଠିରେ ଏକ କ୍ୟାରି ବ୍ୟାଗ୍‌ ଥିଲା ଓ ହାତରେ ଲୁହା ରଡ୍‌ ଥିଲା। ଦୁର୍ବୃତ୍ତଜଣଙ୍କ ପ୍ରଥମେ ଶୁଭେନ୍ଦୁଙ୍କ ପାଖ ଦୋକାନର ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିିଲା। କିନ୍ତୁ କ’ଣ ହେଲା କେଜାଣି ସେ ହଠାତ୍‌ ଶୁଭେନ୍ଦୁଙ୍କ ଦୋକାନର ତାଲା ଭାଙ୍ଗିଲା। ଲୁହା ରଡ୍‌ରେ ସେ ଚଟାପଟ୍‌ ତାଲା ଭାଙ୍ଗି ପକାଇଥିଲା। ଏହା ପରେ ସେ ସଟର୍‌କୁ ମାତ୍ର ଏକ ଫୁଟ୍‌ ଟେକିବା ପରେ ଗୁରୁଣ୍ଡି ଗୁରୁଣ୍ଡି ଭିତରକୁ ପଶିି ଯାଇଥିଲା। ଭିତରେ ସେ ପ୍ରାୟ ୪୦ ମିନିଟ୍‌ ରହିବା ପରେ ପୁଣି ବାହାରି ଆସି ଘଟଣାସ୍ଥଳରୁ ଚାଲି ଯାଇଥିଲା। ଗଲାବେଳେ ଉକ୍ତ ଲୁହା ରଡ୍‌କୁ ସେହିଠାରେ ହିଁ ଛାଡ଼ି ଯାଇଥିିଲା। ତେବେ ଏସବୁ ଦୃଶ୍ୟ ଶୁଭେନ୍ଦୁଙ୍କ ସିସିଟିଭିରେ କଏଦ୍‌ ହୋଇ ପାରି ନଥିଲା। ଶୁଭେନ୍ଦୁଙ୍କ କହିବା କଥା ଭିତରେ ପଶିବା ପରେ ଦୁର୍ବୃତ୍ତଜଣଙ୍କ କ’ଣ କରିଦେଇଥିଲା ଯେ ତାଙ୍କ ସିସିଟିଭି ବନ୍ଦ ହୋଇଯାଇଥିଲା। କିନ୍ତୁ ପାଖ ଦୋକାନୀଙ୍କ ସିସିଟିଭି ଦୁର୍ବୃତ୍ତର ଏହି କାଣ୍ଡକୁ କଏଦ୍‌ କରିଥିଲା। ଶୁଭେନ୍ଦୁଙ୍କ କହିବା କଥା ଦୋକାନ ଥାକରେ ବହୁତ ମୋବାଇଲ୍‌ ଥିଲେ ବି ସେ କେବଳ ବାଛି ବାଛି ସବୁ ଦାମୀ ଆଣ୍ଡ୍ରଏଡ୍‌ ସେଟ୍‌କୁ (ପ୍ରାୟ ୫୦ଟି ସେଟ୍‌) ନେଇଛି। ଗୋଟିଏ ବି ସାଧାରଣ କି’ ବୋର୍ଡବାଲା ମୋବାଇଲ୍‌ ନେଇନାହିଁ। ଖଣ୍ଡଗିରି ଥାନା ପୁଲିସ ସୂଚନାନୁସାରେ ଦୁର୍ବୃତ୍ତଜଣଙ୍କ ମୁହଁରୁ ସେ ପରିଚିତ ଭଳି ଲାଗୁନାହିଁ। ଏମିତିକି ରାଜଧାନୀରେ ସେ ନୂଆ ଭଳି ଜଣାପଡ଼ୁଛି। ତେଣୁ ଫୁଟେଜ୍‌କୁ ନେଇ ଛାନ୍‌ଭିନ୍‌ ଜାରି ରହିଛି ଓ ଖୁବ୍‌ ଶୀଘ୍ର ତାକୁ ଠାବ କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର