ପୁରୀ କେନାଲ୍‌ ବନ୍ଧରେ ଲୁଟେରାଙ୍କ ଆତଙ୍କ

ସକାଳୁ ସକାଳୁ ଠିକଣା ପଚାରି ଚେନ୍‌ ଲୁଟିଲେ

ଚନ୍ଦ୍ରଶେଖରପୁର: ବାରଙ୍ଗ ଦାଢ଼ାଠାରୁ ମଞ୍ଚେଶ୍ୱର ଷ୍ଟେସନ୍‌ ପୁରୀ କେନାଲ୍‌ ବନ୍ଧ ଏବେ ଚେନ୍‌ ଲୁଟେରାଙ୍କ କବ୍‌ଜାରେ। ମହିଳାମାନାଙ୍କୁ ଟାର୍ଗେଟରେ କରୁଛନ୍ତି ଏହି ଲୁଟେରା। ସକାଳ ମର୍ଣ୍ଣିଂ ଓ୍ଵାକ୍‌ ଓ ଫୁଲ ତୋଳିବା ପାଇଁ ଯାଉଥିବା ମହିଳାମାନେ ଏହି ଲୁଟେରାଙ୍କ ଶିକାର ହେଉଛନ୍ତି। ଆଜି ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଏହି ଲୁଟେରାମାନେ ଦୁଇ ଜଣ ମହିଳାଙ୍କ ବେକରୁ ଚେନ୍‌ ଝାମ୍ପିନେଇଛନ୍ତି। ଏହାକୁ ବିରୋଧ କରିବାରୁ ମହିଳାମାନଙ୍କୁ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିବା ଭଳି ଘଟଣା ଦୃଷ୍ଟିକୁ ଆସିଛି। ଆଜି ମଞ୍ଚେଶ୍ୱର ଭୋଟପଡ଼ା କେନାଲ ବନ୍ଧ ଶଗଡ଼ବୁଲା ବ୍ରିଜ୍‌ ଓ ପଟିଆ ଷ୍ଟେସନ୍‌ ନିକଟରେ ନିକଟରେ ରହୁଥିବା ଶୋଭାରାଣୀ ସାହୁ ଓ ଭୋଟପଡ଼ା ନିକଟରେ ରହୁଥିବା ସୁଚିତ୍ରା ମାଣିକ ଲୁଟେରାଙ୍କ ଶିକାର ହୋଇଛନ୍ତି। ଶୋଭାରାଣୀ ସକାଳେ ପଟିଆ ଷ୍ଟେସନ୍‌ ନିକଟରେ ରାସ୍ତା କଡ଼ ଗଛରୁ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ନିକଟରେ ଅଟକିଥିଲେ। ନିକଟସ୍ଥ ଏକ ସ୍ଥାନର ଠିକଣା ପଚାରି ହଠାତ୍‌ ତାଙ୍କ ବେକରୁ ଚେନ୍‌କୁ ଝାମ୍ପିବା ପାଇଁ ଉଦ୍ୟମ କରିଥିଲେ। ତେବେ ଶୋଭାରାଣୀ ଏହାକୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଏକ ଭୁଜାଲିରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ଏବେ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେହଭଳି ଭୋଟପାଡ଼ା କେନାଲ ରୋଡ୍‍ରେ ମର୍ଣିଂ ଓ୍ଵାକ୍‌ କରୁଥିବା ସୁଚିତ୍ରାଙ୍କୁ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣକରି ତାଙ୍କ ସୁନା ଚେନ୍‌ ଲୁଟି ନେଇଛନ୍ତି। କେନାଲ ବନ୍ଧ ମଞ୍ଚେଶ୍ୱର, ଇନ୍‌ଫୋସିଟି ଥାନା ଅଧୀନରେ ଯାଉଛି। ପୁଲିସ୍‌ ପାଟ୍ରୋଲିଂ ହେଉ ନଥିବାରୁ ଏପରି ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଇନ୍‌ଫୋସିଟି ପୁଲିସକୁ ଏନେଇ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଫଳ ମିଳୁ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର