ଶୈଳଶ୍ରୀ ବିହାରରେ ଲୁଟେରାଙ୍କ ଉତ୍ପାତ : ନେଇଗଲେ ଅଳଙ୍କାର, ବାଇକ୍‌

ଚନ୍ଦ୍ରଶେଖରପୁର : ପୁଲିସକୁ ଚକ୍‌ମା ଦେଇ ପୁଣିଥରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଉତ୍ପାତ କରିଛନ୍ତି ଲୁଟେରା। ଭିଆଇପି ଅଞ୍ଚଳ ଭାବେ ପରିଚିତ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ଥିବା ଏକ ଘର ଝରକା ତାଡ଼ି ଲୁଟେରାମାନେ ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇଛନ୍ତି। ଘରେ ଥିବା କାର ଓ ସ୍କୁଟିକୁ ମଧ୍ୟ ସାଙ୍ଗରେ ନେଇ ଚମ୍ପଟ ମାରିଛନ୍ତି। ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଶୈଳଶ୍ରୀବିହାର ଫେଜ୍‌ ୬ର ପ୍ଲଟ୍‌ ନମ୍ବର ଜିଏ-୫୧୫ରେ ରହୁଥିବା ସନ୍ତୋଷ କୁମାର ବେହେରାଙ୍କ ଘରୁ ଲୁଟ୍‌ ହୋଇଛି। ସନ୍ତୋଷ ଓ ତାଙ୍କ ପତ୍ନୀ ଘରେ ନଥିବା ସମୟରେ ଏହାର ଫାଇଦା ଉଠାଇଛନ୍ତି ଲୁଟେରା। ଝରକା ତାଡ଼ି ଲୁଟେରା ଘର ଭିତରକୁ ପ୍ରବେଶ କରିଥିଲେ। ଏଥିପାଇଁ ପୂର୍ବରୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଥିଲେ। ଲୁଟ୍‌ରେ ବ୍ୟବହୃତ ବିଭିନ୍ନ ସମଗ୍ରୀ ସାଙ୍ଗରେ ଆଣିଥିଲେ। ଘରେ ପଶିବା ପରେ ଆଲମିରା ଭାଙ୍ଗିଥିଲେ। ଆଲମିରାରେ ଥିବା ସାମଗ୍ରୀଗୁଡ଼ିକୁ ଏଣେତେଣେ ଫୋପାଡ଼ିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଲୁଟେରା କେବଳ ଅଳଙ୍କାର କିମ୍ବା ଟଙ୍କା ନେଇନାହାନ୍ତି ବରଂ ଘର ସାମ୍ନାରେ ଥିବା କାର୍‌ ଓ ସ୍କୁଟି ମଧ୍ୟ ଚୋରି କରି ନେଇଛନ୍ତି। କିଭଳି ଭାବେ ଲୁଟେରା କାର୍‌ ଲୁଟି ନେଇଗଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସନ୍ଦେହ କରାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଡାକି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର