ସାଧୁ ବେଶରେ ଆସି ସେବାୟତଙ୍କୁ ଲୁଟିଲେ

ଶ୍ରୀଲିଙ୍ଗରାଜ ଥାନା ପୁଲିସର ଛାନଭିନ୍‌, ସିସି କ୍ୟାମେରା ଯାଞ୍ଚ

ପୁରୁଣା ଭୁବନେଶ୍ୱର: ସାଧୁ ବେଶରେ ଆସିଲେ। ମନ୍ଦିର ସାରା ସମସ୍ତ ଦେବଦେବୀଙ୍କୁ ମଣ୍ଡିଆ ମାରିଲେ। ଶହଶହ ଟଙ୍କା ଦାନ ଦେଲେ। ଶେଷରେ ଗୁପ୍ତଦାନ ଦେବା ନାଁରେ ସେବାୟତଙ୍କୁ ଲୁଟିଲେ। ଏଭଳି ଘଟଣା ଘଟିଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ। ଲୁଟର ଶିକାର ହୋଇଥିବା ଅଶୋକ ମହାପାତ୍ର ନାମକ ଜଣେ ସେବାୟତ ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି। ମନ୍ଦିରରେ ଲାଗିଥିବା ସିସି କ୍ୟାମେରାରୁ ପୁଲିସ ଯାଞ୍ଚ ଆରମ୍ଭ କରିଛି। ସିସିଟିଭି ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୧୧ଟା ବେଳେ ଦୁଇଜଣ ଯୁବକ ସାଧୁବେଶରେ ଆସିଥିଲେ। ସେମାନେ ହିମାଳୟରୁ ଆସିଛନ୍ତି ବୋଲି ପରିଚୟ ଦେବା ସହିତ ସେବାୟତ ଅଶୋକଙ୍କ ସହିତ ଦର୍ଶନ କରିବାକୁ ବାହାରିଥିଲେ। ଶ୍ରୀଲିଙ୍ଗରାଜଙ୍କ ପାର୍ଶ୍ୱ ଦେବତା ଦର୍ଶନ ସରିବା ମାତ୍ରେ ଦୁଇ ସାଧୁ, ସେବାୟତଙ୍କୁ ୧୨ଶହ ଟଙ୍କା ଦେଇଥିଲେ। ଏହା ପରେ ପ୍ରତ୍ୟେକ ପାର୍ଶ୍ୱ ଦେବତା ଦର୍ଶନରେ ସେ ୫ ଶହ ଓ ହଜାର ଟଙ୍କା ଦେଉଥିଲେ। ଶେଷର ସାଧୁଦ୍ୱୟ ସେବାୟତଙ୍କୁ କହିଥିଲେ କି ସେ କିଛି ଗୁପ୍ତଦାନ କରିବେ ବୋଲି। ଏଥିପାଇଁ ମନ୍ଦିରର ଏକ ନିଛାଟିଆ ସ୍ଥାନକୁ ଯିବାକୁ ପଡ଼ିବ। ସେବାୟତ ଅଶୋକ ସାଧୁଦ୍ୱୟଙ୍କୁ ଆନନ୍ଦବଜାର ନିକଟ ଭୈରବୀ ମନ୍ଦିର ପାଖକୁ ନେଇ ଯାଇଥିଲେ। ସେଠାରେ ସାଧୁଦ୍ୱୟ କହିଥିଲେ ଆମ୍ଭେ ଗୁପ୍ତଦାନ କରିବୁ ସତ। କିନ୍ତୁ ଏହି ସମୟରେ ତୁମ ପାଖରେ କୌଣସି ସୁନାଗହଣା ଓ ଟଙ୍କା ପଇସା ରହିବ ନାହିଁ। ସେବାୟତ ଜଣକ ନିଜ ବେକରେ ପକାଇଥିବା ଦୁଇଟି ସୁନାଚେନ୍‌ ଓ ପିନ୍ଧିଥିବା ୩ଟି ସୁନାମୁଦି ଓହ୍ଲାଇ ରଖି ଦେଇଥିଲେ। ଏହାପରେ ଏହି ସାଧୁଦ୍ୱୟ ନାଲି କପଡ଼ାରେ ସେହି ସୁନାଗହଣାକୁ ବାନ୍ଧି ଦେଇଥିଲେ। ଏହା ପରେ ସାଧୁଦ୍ୱୟ ଆଉ ଏକ ନାଲି କପଡ଼ା ସେବାୟତଙ୍କୁ ଧରାଇଥିଲେ। କହିଥିଲେ, ଆମ୍ଭେ ମନ୍ଦିରରୁ ବାହାରିବା ପରେ ଏହି ସୁନାକପଡ଼ା ଖୋଲିବ। ଏହା ପରେ ସାଧୁଦ୍ୱୟ ବାହାରକୁ ଚାଲି ଯାଇଥିଲେ। ସେବାୟତ କପଡ଼ା ଖୋଲି ଦେଖନ୍ତି ତ ତାଙ୍କ ସୁନାଗହଣା ନାହିଁ, ଏପରିକି ସାଧୁଦ୍ୱୟ ଦେଇଥିବା ଦାନ ଟଙ୍କା ମଧ୍ୟ ନାହିଁ। ସେବାୟତ ଜଣକ ଦୌଡି ଦୌଡି ମନ୍ଦିର ବାହାରକୁ ଆସିଲା ବେଳକୁ ସାଧୁଦ୍ୱୟ ସେଠାରୁ ଗାଏବ ହୋଇ ଯାଇଥିଲେ। ସାଧୁ ବେଶରେ ଆସି ଲିଙ୍ଗରାଜ ମନ୍ଦିରରରୁ ସେବାୟତଙ୍କୁ ଲୁଟିବା ଏହା ପ୍ରଥମ ଘଟଣା। ଏହା ସେବାୟତ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ଥାନା ଇନ୍ସପେକ୍ଟର ଜନାର୍ଦନ ପାଢ଼ୀ କହିଛନ୍ତି ଏଭଳି କୌଣସି ଅଭିଯୋଗ ଥାନାରେ ହୋଇନାହିଁ।

ସମ୍ବନ୍ଧିତ ଖବର