ଭାଙ୍ଗିଲେ, ତାଡ଼ିଲେ, ଟଙ୍କା ନେଇ ପାରିଲେନି

ଖଣ୍ଡଗିରି: ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଯାଁଳା ୟୁକୋ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ସଟର୍‌ ତାଲା କାଟିବା ସହ ମେସିନ୍‌କୁ ଶାବଳରେ ତାଡ଼ି ଭଙ୍ଗାରୁଜା କରିଥିଲେ ବି ଟଙ୍କା ନେବାରେ ସକ୍ଷମ ହୋଇପାରିନାହାନ୍ତି। ଶନିବାର ସକାଳୁ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ ବି ଦୁର୍ବୃତ୍ତମାନଙ୍କ ଟେର୍‌ ପାଇ ନଥିବା ଜଣାପଡ଼ିଛି। ବ୍ୟାଙ୍କ ସିସିଟିଭି ଫୁଟେଜ୍‌ ମଧ୍ୟ ପୁଲିସ ପାଇଁ ଫଳପ୍ରଦ ହୋଇନାହିଁ।

ଶନିବାର ସକାଳେ କର୍ମଚାରୀମାନେ ବ୍ୟାଙ୍କ ଖୋଲିବାକୁ ଆସିବାବେଳେ ଏଟିଏମ୍‌ ସଟର୍‌ ଅଧା ଖୋଲାଥିବା ଦେଖିବାକୁ ପାଇଥିଲେ। ଲୁଟ୍‌ ହୋଇଛି ବୋଲି ସେମାନେ ସନ୍ଦେହ କରିଥିଲେ। ପରେ ଜଣାଗଲା ଯେ ସଟର୍‌ ତାଲା ଦୁଇଟିଯାକ ଭଙ୍ଗା ଯାଇଛି ଓ ଭିତରେ ମେସିନ୍‌ ମଧ୍ୟ ଭାଙ୍ଗିଛି। ସେହିଭଳି ବ୍ୟାଙ୍କ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାର ତାରକୁ କାଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ଯାଁଳା ଫାଣ୍ଡି ପୁଲିସକୁ ଖବର ଜଣାଇ ଦିଆଯାଇଥିଲା ଓ ବ୍ୟାଙ୍କ ମ୍ୟାନେଜର୍‌ ଏଟିଏମ୍‌ ଅଧିକାରୀଙ୍କୁ ଜଣାଇଥିଲେ। ଖବର ପାଇ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ମେସିନ୍‌ର ଉପର ଅଂଶକୁ ଶାବଳରେ ତାଡ଼ି ଦେଇଥିଲେ ବି ଶାବଳ ମାଡ଼ରେ ଟଙ୍କା ରହୁଥିବା ଚାମ୍ବରର କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଥିଲା। ତେଣୁ ଏଟିଏମ୍‌ରେ ଥିବା ଟଙ୍କା ସୁରକ୍ଷିତ ଥିବା ଜଣାପଡ଼ିଥିଲା। ତେବେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା। ମାତ୍ର ଫୁଟେଜ୍‌ରୁ ପୁଲିସକୁ କିଛି ମିଳି ନଥିଲା। ଏଟିଏମ୍‌ ଭିତରର କ୍ୟାମେରା କିଛି ବି ଫଟୋ ଉତ୍ତୋଳନ କରି ନଥିବା ଜଣାପଡ଼ିଥିଲା। ବାହାର କ୍ୟାମେରାର ସଂଯୋଗ କଟାଯାଇଥିଲେ ବି ଏଟିଏମ୍‌ ଭିତର କ୍ୟାମେରା ଠିକ୍‌ ଥିଲା। ମାତ୍ର ପରେ ଜଣାଗଲା ଯେ ସିସିଟିଭି ମେସିନ୍‌ର ୟୁପିଏସ୍‌ ବ୍ୟାକ୍‌ ଅପ୍‌ ନେଉ ନଥିବାରୁ ଲୁଟ୍‌ ଉଦ୍ୟମ ବେଳେ ସିସିଟିଭି କାମ କରିନାହିଁ। ବ୍ୟାଙ୍କର ଏଭଳି ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ପୁଲିସ ବିରକ୍ତି ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର