ବନ୍ଧୁକ ମୁନରେ ୨ ଗୋରୁ ଗାଡ଼ି ଅପହରଣ

ଧଉଳି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଛକ ନିକଟରୁ ଗତ ରାତିରେ ୨ଟି ଗୋରୁ ବୋଝେଇ ପିକ୍‌-ଅପ୍‌ ଅପହରଣ ହୋଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ଗାଡ଼ିଦ୍ୱୟର ମାଲିକ ସାକ୍ଷୀଗୋପାଳ ଥାନା ଅଞ୍ଚଳର ମୀର ଜାବିର୍‌ ଓ ମୀର୍‌ ୱହିତ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଥାନାରେ ହୋଇଥିବା ଅନୁଯାୟୀ, ୫ଲକ୍ଷ ଟଙ୍କା ବଟି ନ ଦେବାରୁ ପିପିଲି ଥାନା ଅଞ୍ଚଳର ୧୦ରୁ ୧୨ଜଣ ଯୁବକ ଏପରି କାଣ୍ଡ ଭିଆଇଛନ୍ତି। ଗତ ରାତି ପ୍ରାୟ ସାଢ଼େ ୧ଟାରେ ଦୁର୍ବୃତ୍ତମାନେ ଗୋଟିଏ କାର୍‌ ଓ ୩ଟି ବାଇକ୍‌ରେ ଗୋରୁ ବୋଝେଇ ପିକ୍‌-ଅପ୍ ୨ଟିର ପିଛା କରି ଧଉଳି ଛକ ନିକଟରେ ଅଟକାଇଥିଲେ। ବନ୍ଧୁକ ଓ ଭୁଜାଲି ଦେଖାଇ ଚାଳକଙ୍କ ସହ ଗାଡ଼ି ୨ଟିକୁ ଅପହରଣ କରିନେଇ ସୁନ୍ଦରପଦା ରାସ୍ତାରେ ଖୋର୍ଧା ଅଭିମୁଖେ ପଳାଇଥିଲେ। ଏହି ଘଟଣାରେ ଚାଳକ ଛବି ପତି ଓ ରଂଜନ ଆହତ ହୋଇଥିବା ଜଣାଯାଇଛି। ଧଉଳି ଥାନା ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି। ଗାଡ଼ି ଦୁଇଟିରେ ୧୫ରୁ ଊର୍ଧ୍ବ ଗୋରୁ ବାଲେଶ୍ୱର ଓ କଟକ ଚାଲାଣ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର