ରାଜପଥ ଲୁଟେରା ମଇନା, ଟୁମ୍ଫା ଗିରଫ

ଖଣ୍ଡଗିରି: ଦୀର୍ଘ ଦିନ ହେବ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ କରୁଥିବା ଏକ ଗ୍ୟାଙ୍ଗର ୨ ଜଣଙ୍କୁ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଗଙ୍ଗପଡ଼ା ଅଞ୍ଚଳର ଗଗନ ଭଟ୍ଟ ଓରଫ୍‌ ମଇନା(୨୨) ଓ ରଂଜନ ରାଉତ ଓରଫ୍‌ ଟୁମ୍ଫା(୨୧)। ସେମାନଙ୍କୁ ବୁଧବାର ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଗ୍ୟାଙ୍ଗର ଅନ୍ୟ ଜଣେ ଫେରାର୍‌ ଥିବା ପୁଲିସ ସୂଚନା ଦେଇଛି।

ଗତ ୧୫ ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଖୋର୍ଧା ମୁକୁନ୍ଦପ୍ରସାଦର କାସିମ୍‌ ଖାଁ ନିଜ ବ୍ୟବସାୟ କାମରେ ଘରୁ ବାହାରି ଖଣ୍ଡଗିରି ଅଭିମୁଖେ ବାହାରିଥିଲେ। ଅନ୍ୟ ଜଣେ ବ୍ୟବସାୟୀ ବନ୍ଧୁଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ସେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡ଼ା ଛକରେ ପହଞ୍ଚିଥିବାବେଳେ ଏକ ପଲସର ବାଇକ୍‌ରେ ଥିବା ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସ୍ଥାନୀୟ ଲୋକ ହୋଇଥିବାରୁ କାସିମ୍‌ ବାଇକ୍‌ ଅଟକାଇ ନିଜ ପରିଚୟ ଓ ଠିକଣା କହିଥିଲେ। କିନ୍ତୁ ଦୁର୍ବୃତ୍ତମାନେ କିଛି ନ ଶୁଣି ତାଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିିଲେ। ସେମାନେ ଜୋର ଜବରଦସ୍ତ ତାଙ୍କ ପକେଟ୍‌ରୁ ପର୍ସ ବାହାର କରିନେବା ସହ ତାଙ୍କ ମୋବାଇଲ୍‌ ଫୋନ୍‌ ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ତେବେ କାସିମ୍‌ ସେମାନଙ୍କ ମଧ୍ୟରୁ ମଇନାକୁ ଚିହ୍ନି ପାରିଥିଲେ। ତେଣୁ ସେ ତୁରନ୍ତ ଯାଁଳା ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାର ଏସ୍‌ ଗ୍ରହାଚାର୍ଯ୍ୟ ମଇନା ବାବଦରେ ସୁଚନା ପାଇବା ପରେ ତାକୁ ଧରିବା ପାଇଁ ଚଢ଼ଉ କରିଥିଲେ। ମଙ୍ଗଳବାର ରାତିରେ ମଇନାକୁ ଗିରଫ କରାଯାଇଥିଲା ଓ ପରେ ପରେ ଟୁମ୍ଫାକୁ ବି ପୁଲିସ ଉଠାଇଥିଲା। କିନ୍ତୁ ମୁଖ୍ୟ କାର୍ପଟଦାର୍‌ ପୁଲିସ ଚଢ଼ଉ ବାବଦରେ ଜାଣିପାରି ଫେରାର୍‌ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ପ୍ରାୟ ୬ ମାସ ହେବ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ଯାଁଳାରୁ ପିତାପଲ୍ଲୀ ଛକ ଭିତରେ ବହୁ ଲୁଟ୍‌ପାଟ୍‌ କଲେଣି। କେବଳ ୧୬ ନମ୍ବର ଜାତୀୟ ରାଜପଥ ନୁହେଁ, ପିତାପଲ୍ଲୀ ବାରଙ୍ଗ ରାସ୍ତାରେ ମଧ୍ୟ କିଛି ସ୍ଥାନୀୟ ଲୁଟେରା ଏଭଳି ଉତ୍ପାତ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି। ଆଜି ପୁଲିସ ଏହି ଗ୍ୟାଙ୍ଗ୍‌କୁ ଧରିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଆଶ୍ୱସ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର