ନିଶାରେ ୨ ଜଣଙ୍କୁ ଲୁଟିଲେ

ଖଣ୍ଡଗିରି: ପୁଣି ନିଶାରେ ଦୁଇ ଜଣ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟ୍‌ କରିଛନ୍ତି ରାଜଧାନୀର ନିଶାଦିଆ ଲୁଟେରାମାନେ। ଲୁଟ୍‌ର ଶିକାର ହୋଇଥିବା ଏହି ଦୁଇ ଯୁବକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜାକ୍ରିପଡ଼ା ଗାଁର ଉତ୍ତମ ଦିଗଲ୍‌(୧୭) ଓ ଦେଓଗଡ଼ କଣ୍ଟାବାହାଲ ଥାନା ସାତକିଆରୀ ଅଞ୍ଚଳର ବିଦେଶୀ ବାଗ୍‌(୧୮)। ଉତ୍ତମଙ୍କଠାରୁ ୧୭ ହଜାର ଟଙ୍କା ଓ ବିଦେଶୀଙ୍କଠାରୁ ସାଢ଼େ ୪ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ଗତକାଲି ଉତ୍ତମ ପ୍ରଶାନ୍ତି ଏକ୍‌ସପ୍ରେସ୍‌ରେ ବେଙ୍ଗାଲୁର୍‌ରୁ ଭୁବନେଶ୍ୱର ଫେରିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନରୁ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯିବାର ଥିଲା। ଏକ ଅଟୋ ଭଡ଼ା କରି ସେ ବରମୁଣ୍ଡା ଆସିଥିଲେ। ମାତ୍ର ବାଟରେ ଉକ୍ତ ଅଟୋଚାଳକ ତାଙ୍କୁ ନିଶାଯୁକ୍ତ ଚା’ ପିଇବାକୁ ଦେଇଥିଲା ଓ ସେ ବେହୋସ୍‌ ହୋଇଯିବା ପରେ ତାଙ୍କଠାରୁ ଟଙ୍କା ନେଇ ଦୁର୍ବୃତ୍ତଜଣଙ୍କ ତାଙ୍କୁ ରୁଚିକା ମାର୍କେଟ୍‌ ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ଆଜି ପିସିଆର୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସେହିଭଳି ବିଦେଶୀ ଫଲକ୍‌ନାମା ଏକ୍ସପ୍ରେସ୍‌ରେ ଭୁବନେଶ୍ୱର ଫେରୁଥିଲେ। ଖୋର୍ଧାରୋଡ୍‌ ଷ୍ଟେସନ୍‌ରେ ତାଙ୍କୁ ରେଳବାଇ ପୁଲିସ ବେହୋସ୍‌ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନେ ସେମାନଙ୍କ ଚିକିତ୍ସା କରାଇବା ସହ ସେମାନଙ୍କ ସମ୍ପର୍କୀୟମାନଙ୍କ ଜିମାରେ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର