ଖଣ୍ଡଗିରି: ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ପଞ୍ଚସଖାନଗରର କୈଳାସଚନ୍ଦ୍ର ବେହେରାଙ୍କ ଘରର ଝରକା ଗ୍ରିଲ୍ ତାଡ଼ି ଦୁର୍ବୃତ୍ତମାନେ ଆଲମିରାରୁ ପ୍ରାୟ ୬୦ ଗ୍ରାମ୍ ଓଜନର ସୁନାଗହଣା ଓ ନଗଦ ୭ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଅଭିଯୋଗ ପାଇବା ପରେ ଆଜି ଖଣ୍ଡଗିରି ଥାନା ପୁଲିସ ଶ୍ରୀ ବେହେରାଙ୍କ ଘରକୁ ଆସି ଛାନ୍ଭିନ୍ କରି ଫେରିଛି। କିନ୍ତୁ ଚୋରମାନଙ୍କ ପତ୍ତା ପାଇନାହିଁ। ସୋମବାର ରାତି ପ୍ରାୟ ୧୨ଟା ପରେ ଶ୍ରୀ ବେହେରାଙ୍କ ପରିବାର ଖିଆପିଆ ସାରି ମୁଖ୍ୟ ବେଡ୍ ରୁମ୍ରେ ଶୋଇଥିଲେ। କିନ୍ତୁ ସକାଳୁ ଉଠିବା ପରେ ଘରୁ ଲୁଟ୍ ହୋଇଥିବା ଦେଖିଥିଲେ। ରୋଷେଇ ଘର ପାଖ ଓ ପାଚେରି କଡ଼କୁ ଲାଗିକରି ଥିବା ବେଡ୍ ରୁମ୍ର ଗୋଟିଏ ଝରକା ଖୋଲାଥିଲା ଓ ସେଥିରେ ଲାଗିଥିବା ଗ୍ରିଲ୍ ତଡ଼ା ହୋଇ ତଳେ ପଡ଼ିଥିଲା। ଆଲ୍ମିରା ଖୋଲା ହୋଇଥିବାବେଳେ ସେଥିରେ ଥିବା ଅଳଙ୍କାର ବକ୍ସ ଓ ସମସ୍ତ ଜିନିଷପତ୍ର ତଳେ ବିଛାଡ଼ି ହୋଇ ପଡ଼ିଥିଲା। ଶ୍ରୀମତୀ ବେହରାଙ୍କ କହିବା କଥା ଚୋରମାନେ ଗୋଟିଏ ବଡ଼ ସୁନାଚେନ୍(୨୨ଗ୍ରାମ), ୪ ହଳ କାନଫୁଲ ଓ ୫ଟି ମୁଦି ନେଇଛନ୍ତି। ସେହିଭଳି ତାଙ୍କ ଭ୍ୟାନିଟି ବ୍ୟାଗ୍ରେ ଥିବା ୭ ହଜାର ଟଙ୍କା ମଧ୍ୟ ଲୁଟ୍ ହୋଇ ଯାଇଛି। ଉଲ୍ଲେଖନୀୟ କଥା ହେଉଛି ଦୁର୍ବୃତ୍ତମାନଙ୍କୁ ଆଲ୍ମିରା ଭାଙ୍ଗିବାକୁ ପଡ଼ିନାହିଁ। କପ୍ବୋର୍ଡରେ ଥିବା ଏକ ଖୋଲା ଆଟାଚିରେ ଆଲ୍ମିରା ଚାବି ଥିଲା ଓ ସେଇଟିକୁ ପାଇ ସେମାନେ ଅନାୟାସରେ ଆଲ୍ମିରା ଖୋଲିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ରବିବାର ରାତିରେ ଏହି ନଗରର ବାସିନ୍ଦା ଇଂ କମଳ ଲୋଚନ ମହାନ୍ତିଙ୍କ କାର୍ ଚାଳକକୁ ୩ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ସୁନାଚେନ୍ ଲୁଟି ନେଇଥିଲେ। ଗତ ଦୁଇ ସପ୍ତାହ ତଳେ ମର୍ଣିଂ ୱାକ୍ ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଲକେଟ୍ ଝାମ୍ପି ନେଇଥିଲେ। ଏଠାରେ ରାସ୍ତାଘାଟରେ ଛିନ୍ତାଇ ଗ୍ୟାଙ୍ଗ୍ ଓ ଘର ତାଡ଼ୁଥିବା ସିନ୍ଧିଚୋର ଗ୍ୟାଙ୍ଗ୍ର ଆତଙ୍କ ପାଇଁ ସ୍ଥାନୀୟ ଲୋକେ ପ୍ରମାଦ ଗଣିଲେଣି ବୋଲି ଅଭିଯୋଗ କରିଛନ୍ତି। ତେଣୁ ଏଠାରେ ଏକ ଫାଣ୍ଡି ବା ବିଟ୍ ହାଉସ୍ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ୧୫ ତାରିଖରେ ଖଣ୍ଡଗିରି ଥାନା ପୁଲିସ ଭରତପୁରରୁ ସିନ୍ଧିଚୋର ରାଜା ଓ ତାର ଦୁଇ ସହଯୋଗୀକୁ କୋର୍ଟ ଚାଲାଣ କରିଥିଲା। ମାତ୍ର ୪ଟା ଦିନ ନ ବିତୁଣୁ ପଞ୍ଚସଖାନଗରରେ ଘଟିଥିବା ଏହି ସିନ୍ଧିଚୋରି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।