ଲୁଟେରା ଗିରଫ, ୩ ବାଇକ୍‌ ଜବତ

ଭୁବନେଶ୍ବର: ଲୁଟ୍‌ପାଟ୍‌ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଣେ ଲୁଟେରାକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ତା’ଠାରୁ ୩ଟି ଚୋରା ବାଇକ୍‌ ଜବତ କରାଯାଇଛି। ସେ ହେଲା, କନ୍ଧମାଳ ଜିଲ୍ଲା ଫିରିଙ୍ଗି ଥାନା ଅଧୀନ ନୂଆପଦର ଅଞ୍ଚଳର ସୁମନ୍ତ ଦିଗଲ(୨୫)। ସେ ଏଠାରେ ସାଲିଆସାହି ଶକ୍ତି ବିହାର ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ଗତ ୧୧ତାରିଖ ଦିନ ଚନ୍ଦ୍ରକାନ୍ତ ପରିଡ଼ା ନାମକ ଜଣେ ଯୁବକ ନୂଆପଲ୍ଲୀ ସ୍ଥିତ ଏକ ମଲ୍‌ ସମ୍ମୁଖରେ ବାଇକ୍‌ ରଖି ସପିଂ ପାଇଁ ଯାଇଥିଲେ। ଫେରିବା ବେଳକୁ ତାଙ୍କ ବାଇକ୍‌କୁ କେହି ଦୁର୍ବୃତ୍ତ ନେଇ ପଳାଇଥିଲା। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ପୁଲିସ ସୁମନ୍ତକୁ ଚିହ୍ନଟ କରିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍‌ ଶକ୍ତି ବିହାର ଅଞ୍ଚଳରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ସେ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରିଥିବା ମାନିଥିଲା। ଏହାପରେ ପୁଲିସ ସାଲିଆସାହିରୁ ୩ଟି ଚୋରା ବାଇକ୍‌ ଜବତ କରିଥିଲା। ଆଜି ପୁଲିସ ତାକୁ କୋର୍ଟଚାଲାଣ କରିଛି। ତେବେ ତା’ ସହ ସମ୍ପୃକ୍ତ ଅନ୍ୟ ଲୁଟେରାଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର