ବର୍ଷେ ପରେ ବନ୍ଧା ହେଲା ଲୁଟେରା
ଭୁବନେଶ୍ୱର: ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କଠାରୁ ଭ୍ୟାନିଟ୍ ଝାମ୍ପି ନେଇ ପଳାଇଥିବା ଜଣେ ଫେରାର ଅଭିଯୁକ୍ତକୁ ଗତକାଲି ବିଳମ୍ବିତ ରାତ୍ରୀରେ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଅଭିଯୁକ୍ତ ହେଉଛି କଟକ ବାଲିଝରୀର ମୋହନ ଦାସ ଓରଫ ଲଣ୍ଡା। ସେ ବମିଖାଲ ଓଭରବ୍ରିଜ୍ ନିକଟରେ ରହୁଥିଲା। ଘଟଣା ପରେ ସେ ଫେରାର ହୋଇ ଯାଇଥିଲା। କିନ୍ତୁ ପୁଲିସ ସେହି ଘର ଉପରେ ନଜର ରଖିଥିଲା। ଗତକାଲି ବିଳମ୍ବିତ ରାତିରେ ସେ ଘରେ ଥିବା ଜାଣିପାରି ଲକ୍ଷ୍ମୀସାଗର ଥାନା ପୁଲିସ ସେହି ଘରେ ଚଢ଼ଉ କରିଥିଲା। ଗତବର୍ଷ ଫେବ୍ରୁଆରି ୧୬ ତାରିଖ ଦିନ ବମିଖାଲର ମନୀଷା ରାଣୀ ରଥ ଲେବୁଲ କ୍ରସିଂ ଅତିକ୍ରମ କରି ଚାଲି ଚାଲି ସହିଦ ନଗର ଆଡ଼େ ଯାଉଥିଲେ। ଲଣ୍ଡା ତାଙ୍କୁ ଏକୁଟିଆ ଦେଖି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେଇଥିଲା। ଭ୍ୟାନିଟ୍ରେ ୧୦ ହଜାର ଟଙ୍କା ସହ ପରିଚୟପତ୍ର ସମେତ କିଛି ଜରୁରି କାଗଜ ଓ ଦାମୀ ମୋବାଇଲ ଫୋନ୍ ରହିଥିଲା। ଏ ନେଇ ଅଭିଯୋଗ ହେବା ପରେ ଲକ୍ଷ୍ମୀସାଗର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଲଣ୍ଡା ନାଁରେ ସହିଦ ନଗର ଥାନାରେ ଆଉ ୯ଟି ମାମଲା ରହିଥିବା ଜଣାପଡ଼ିଥିଲା। ସେହିପରି ତା ନାଁରେ ଲକ୍ଷ୍ମୀସାଗର ଥାନାରେ ଆଉ ଦୁଇଟି ମାମଲା ରହିଥିବା ଜଣାପଡ଼ିଛି।