ଲୁଟେରାକୁ ଧରି ଲୋକେ ପୁଲିସ ଜିମାଦେଲେ

ଅଟୋ ଚାଳକଙ୍କୁ ନିଶାଦେଇ ଲୁଟ୍‌ ଘଟଣା

ବାରଙ୍ଗ : ଦୀର୍ଘ ଦିନ ଧରି କଟକ, ଭୁବନେଶ୍ୱର ଓ ବାରଙ୍ଗ ଅଞ୍ଚଳରୁ ଭଡା ସୂତ୍ରରେ ଅଟୋ ନେଇ ଚାଳକଙ୍କୁ ନିଶା ଦେଇ ଲୁଟୁଥିବା ଜଣେ ଲୁଟେରା ଧରାପଡିଛି। ହ୍ଵାଟ୍‌ସଅପ୍‌ ଫଟୋକୁ ଆଧାର କରି ବାରଙ୍ଗ ଥାନା ଅଧୀନ ବଙ୍ଗାଳି ସାହିର ଲୋକେ ସଂପୃକ୍ତ ଲୁଟେରାକୁ ଧରି ଆଜି ପୁଲିସ ଜିମା ଦେଇଛନ୍ତି। ଲୁଟେରା ଜଣକ ବଡ଼ମ୍ବା ଅଞ୍ଚଳର କାହ୍ନା ବାରିକ ବୋଲି ପୁଲିସ ସୂଚନା ଦେଇଛି। ଲୁଟେରା ନିକଟରୁ ଏକ ଷ୍ଟ୍ରିପ୍‌ ନିଶା ବଟିକା, ବ୍ଲେଡ୍‌, ଏକ ଡାଏରି, ନକଲି ଆଧାର କାର୍ଡ, ମୋବାଇଲ ଫୋନ୍‌ ଓ ଅଢେଇ ହଜାର ଟଙ୍କା ଜବତ ହୋଇଛି। କାହ୍ନା ଏକାଧିକ ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏହି ଗ୍ୟାଙ୍ଗର ଆଉ ୪ ଜଣ ସଦସ୍ୟ ଥିବା ପୁଲିସ ସୂଚନା ପାଇଛି।

ସୂଚନାଯୋଗ୍ୟ ଯେ ୧୫ ଦିନ ତଳେ କାହ୍ନା ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବିଦୁ ଘରାମି ଚଳାଉଥିବା ଅଟୋକୁ ଭଡାରେ ନେଇ କଟକ ବଡ଼ ମେଡିକାଲ ଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତା’ର ଜଣେ ସମ୍ପର୍କୀୟଙ୍କୁ ଦେଖି ଆସିବା ପରେ ଅଟୋରେ ଫେରିଯିବ ବୋଲି ଚାଳକଙ୍କୁ କାହ୍ନା କହିଥିଲା। କାହ୍ନା କଥାରେ ବିଦୁ ସନ୍ଦେହ ପ୍ରକାଶ କରି ମୋବାଇଲରେ ଫଟୋ ଉଠାଇ ତାଙ୍କ ଭଣଜା ରକି ବାରୋଇଙ୍କ ମୋବାଇଲ୍‌କୁ ହ୍ଵାଟ୍‌ସଆପରେ ଛାଡ଼ି ଦେଇଥିଲେ। କିଛି ସମୟ ପରେ ଲୁଟେରା ଜଣକ ‘‘ଭାଇ ଟିକେ ଡେରି ହେବ, ତୁମକୁ ଭୋକ ଲାଗୁଥିବ, କ’ଣ ଟିକେ କଣ ଖାଇ ନିଅ’’ ବୋଲି କହି ସାଥୀରେ ଆଣିଥିବା ଅଣ୍ଡା ଆମଲେଟ ଅଟୋ ଚାଳକଙ୍କୁ ଖାଇବାକୁ ଦେଇଥିଲା। ଆମଲେଟ୍‌ ଖାଇ ବିଦୁ ଅଚେତ ହୋଇଯିବାରୁ ତାଙ୍କ ପାଖରେ ଥିବା ଦାମୀ ମୋବାଇଲ୍‌, ନଗଦ ୭ ହଜାର ଟଙ୍କାକୁ ଲୁଟି କାହ୍ନା ଫେରାର ହୋଇଯାଇଥିଲା। ଅଚେତ ଅବସ୍ଥାରେ ବିଦୁଙ୍କୁ କଟକ ବଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ୩ ଦିନ ପରେ ସୁସ୍ଥ ହୋଇ ବିଦୁ ଘରକୁ ଫେରିଥିଲେ। ଆଜି ନନ୍ଦନକାନନ ପାଖ ଏଟିଏମରୁ ଟଙ୍କା ଉଠାଇବାକୁ ଗଲାବେଳେ ହ୍ଵାଟ୍‌ସଅପରେ ଆସିଥିବା ଫଟୋ ଦେଖି ବିଦୁର ଭଣଜା ରକିି ଏକ ଅଟୋରେ ବସିଥିବା କାହ୍ନାକୁ ଚିହ୍ନି ପାରିଥିଲେ। ପରେ ଏ ସଂପର୍କରେ ସେ ମାମୁଁ ବିଦୁଙ୍କ ସହ କଥା ହେବା ପରେ ପଡ଼ୋଶୀଙ୍କ ସହ ଆସି ଲୁଟୋରାକୁ କାବୁ କରି ବାରଙ୍ଗ ପୁଲିସ ଜିମା ଦେଇଥିଲେ। ପୁଲିସ କାହ୍ନାକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର