ଲୁଟେରାଙ୍କୁ ମାଡ଼ି ବସିଲେ ଆଇଆଇସି

ଭୁବନେଶ୍ୱର : ଚୋର-ପୁଲିସ ଖେଳ ବିଷୟରେ ସମସ୍ତେ ଜାଣିଥିବେ। ହେଲେ ଅସଲରେ ଚୋର-ପୁଲିସ ଖେଳ ଆଜି ଦେଖିବାକୁ ମିଳିଥିଲା ଶ୍ରୀୟା ଟକିଜ୍‌ ଛକରେ। ଲୁଟେରାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି ଖାରବେଳ ନଗର ଥାନା ଆଇଆଇସି ଜ୍ଞାନେନ୍ଦ୍ର ସାହୁ। ଏ ନେଇ ବିଭିନ୍ନ ମହଲରୁ କମିସନରେଟ୍‌ ପୁଲିସକୁ ପ୍ରସଂଶା ମିଳିଛି। ସୂଚନା ଅନୁଯାୟୀ ଶ୍ରୀୟା ଟକିଜ୍‌ ଛକରେ ଦୁଇଜଣ ମହିଳାଙ୍କଠାରୁ ଲୁଟିବାକୁ ଉଦ୍ୟମ କରିଥିଲେ ଦୁଇଜଣ ଯୁବକ। ଏକ ବାଇକ୍‌ରେ ଆସି ପଛପଟୁ ଭ୍ୟାନିଟି ସହ ସୁନା ଚେନ୍‌ ଝାମ୍ପି ନେବାକୁ ଉଦ୍ୟମ କରୁଥି‌ଲେ। କିଛି ଦୂରରେ ପାଟ୍ରୋଲିଂରେ ଥିଲେ ଖାରବେଳ ନଗର ଥାନା ଆଇଆଇସି। ଘଟଣା ଉପରେ ନଜର ପଡ଼ିବା ପରେ ସେ ଦଉଡ଼ିଥିଲେ ଘଟଣାସ୍ଥଳକୁ। ପୁଲିସ ଆସୁଥିବା ଦେଖି ମହିଳାଙ୍କୁ ଛାଡ଼ି ବାଇକ୍‌ରେ ବସି ଚମ୍ପଟ ମାରିଥିଲେ ଲୁଟେରା। ଆଇଆଇସିଙ୍କୁ ପିଛା କରୁଥିବା ଭ୍ୟାନ୍‌ ତୁରନ୍ତ ତାଙ୍କ ପାଖରେ ପହଞ୍ଚିବା ପରେ ଅଧିକାରୀ ଗାଡ଼ିରେ ବସି ଲୁଟେରାଙ୍କୁ ଗୋଡ଼ାଇଥିଲେ। ପାଖାପାଖି ୨ଶହ ମିଟର ପରେ ଲୁଟେରାଙ୍କ ବାଇକ୍‌ ଆଗକୁ ମାଡ଼ି ଆସିଥିଲା ତାଙ୍କ ଜିପ୍‌। ଆଉ ଦଉଡ଼ି ପଳାଇବାକୁ ଆଉ ଜୁ’ ନଥିଲା ଲୁଟେରାଙ୍କର। ଉଭୟଙ୍କୁ ଧରି ଥାନାକୁ ଅଣି ପଚରା ଉଚରା ଚାଲିଛି। ତାଙ୍କଠାରୁ ଆଉ କିଛି ଲୁଟେରା ଓ ଚୋରଙ୍କର ସନ୍ଧାନ ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର