ଚନ୍ଦକାରେ ସିରିଜ୍‌ ଡକାୟତି ମାମଲା : ଏରାଗୋଲା ଗ୍ୟାଙ୍ଗ୍‌ର ଜଗା ବଳିଆ ସମେତ ୩ ଗିରଫ

ଗହଣା, ବାଇକ୍‌ ଜବତ

ଖଣ୍ଡଗିରି : ଫେବ୍ରୁଆରି ୧୩ ତାରିଖରେ ଘଟିଥିବା ସିରିଜ୍‌ ଡକାୟତି ମାମଲାରେ ଚନ୍ଦକା ପୁଲିସକୁ ମିଳିଛି ସଫଳତା। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଏରାଗୋଲା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଚନ୍ଦକା ପୁଲିସ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଭମରାଡିହପାଟଣାର ବଳିଆ ଦାସ(୨୭), କେନ୍ଦ୍ରାପଡ଼ା ଜାଗୁଳେଇପଡ଼ାର ଜଗା ଦାସ(୩୨) ଓ ଯାଜପୁର ଜିଲ୍ଲା ମୁଣ୍ଡମାଳପାଟଣାର ବିଜୟ ଦାସ ଓରଫ୍‌ ଚଗଲା(୨୨)। ପୁଲିସ ସେମାନଙ୍କଠାରୁ ଚୋରି ଗହଣା, ଦୁଇଟି ବାଇକ୍‌ ଓ ମାରଣାସ୍ତ୍ର ଜବତ କରିଛି। ଜବତ ଚୋରି ମାଲ୍‌ ଭିତରେ ରହିଛି ହଳେ ସୁନା ଚୁଡ୍‌, ବ୍ରେସ୍‌ଲେଟ୍‌, ଗୋଟିଏ ଚେନ୍‌ ଓ ଘର ଭାଙ୍ଗିବା ପାଇଁ ଗୋଟିଏ ଶାବଳ ସମେତ ଗୋଟିଏ ଖଣ୍ଡା ଜବତ ହୋଇଛି। ଏହି ଗ୍ୟାଙ୍ଗର ଅନ୍ୟ ୩ ଜଣଙ୍କୁ ପୁଲିସ ଖୁବ୍‌ ଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି।

କେମିତି ଧରାପଡ଼ିଲେ

କଟକ ସଦର ଥାନା ମାମଲାକୁ ଅନୁଶୀଳନ କରି ଚନ୍ଦକା ଥାନା ପୁଲିସ ଏହି ଗ୍ୟାଙ୍ଗ୍‌ ବାବଦରେ ସୁରାକ୍‌ ପାଇଥିଲା ଓ ଶେଷରେ ସଫଳ ହୋଇଥିଲା। ଅନ୍ୟ ୩ଜଣଙ୍କ ବାବଦରେ ପୁଲିସ ତଥ୍ୟ ପାଇଥିବା ସୂଚନା ମିଳିଛି। ଏହି ସିରିଜ୍‌ ଡକାୟତି ମାମଲାରେ ଖୋଳତାଡ଼ କରୁଥିବାବେଳେ କଟକ ସଦର ଥାନାରେ ଅଞ୍ଚଳରେ ଘଟିଥିବା ଏକ ଡକାୟତି ମାମଲାର ତରିକା ସହ ଚନ୍ଦକା ମାମଲାର ମେଳ ଖାଇଥିଲା। କବାଟ ଭାଙ୍ଗି ଘରେ ପଶିବା, ଡକାୟତି କରିବା ପରେ ସେହି ଘରେ ମଦ ପିଇବା ଭଳି ଘଟଣା ମିଶି ଯାଇଥିଲା। ତେଣୁ ଚନ୍ଦକା ପୁଲିସ ଏହି ମାମଲାରେ ଗିରଫ ହୋଇଥିବା ଜଗା ବଳିଆର ପିଛା କରିଥିଲା। ପୁଲିସ ସୂଚନାନୁସାରେ ଦୁର୍ବୃତ୍ତମାନେ କେନ୍ଦ୍ରାପଡ଼ା, ଯାଜପୁର ଓ କଟକ ଜିଲ୍ଲାରେ ପ୍ରାୟ ୩୦ରୁ ଅଧିକ ଡକାୟତି ମାମଲା କରିଛନ୍ତି। ୁ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ପୁଲିସର ଟାର୍ଗେଟ୍‌ରେ ରହିବା ପରେ ଏହି ଗ୍ୟାଙ୍ଗ୍‌ ରାଜଧାନୀ ମୁହାଁ ହୋଇଥିଲେ। ତେବେ ଭୁବନେଶ୍ୱର କମିସନରେଟ୍‌ ଅଞ୍ଚଳରେ ଗୋଟିଏ କାଣ୍ଡ ଭିଆଇବା ପରେ ଧରାପଡ଼ି ଯାଇଛନ୍ତି।

ବୁଲା ବେପାରୀ ସାଜି ଘର ଠିକଣା କରନ୍ତିି

ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଗା-ବଳିଆ। ସେମାନେ ବୁଲା ବେପାରୀ ସାଜି ଗାଁ ଗାଁ ଓ ସହରର ଗଳିକନ୍ଦି ବୁଲନ୍ତି। କେତେବେଳେ ସୋଫାସେଟ୍‌ ପାଇଁ କୁସନ୍‌ ବେପାର ତ କେତେବେଳେ ବେଡ୍‌ସିଟ୍‌ କବାଟ ଝରକା ସ୍କ୍ରିନ୍‌ ଆଦି ଧରି ବୁଲନ୍ତି। ଗାଁ ମୁଣ୍ଡିଆ ଏକୁଟିଆ ବା ନିଛାଟିଆ ଘରକୁ ଏମାନେ ଟାର୍ଗେଟ୍‌ କରନ୍ତି। ଚେୟାର୍‌ କୁସନ୍‌, କବାଟ ଝରକା ସ୍କ୍ରିନ୍‌ ମାପ ନେବା ବା ଲଗାଇବା ବାହାନାରେ ଏମାନେ ଘର ଭିତର ବୁଲି ସବୁ କଥା ନଜର କରି ନିଅନ୍ତି। ତେଣୁ ରାତିରେ ଘର ଭିତରକୁ କେଉଁ ବାଟ ଦେଇ ପଶିବା ସହଜ ହେବ, ତାହାକୁ ସେମାନେ ପୂର୍ବରୁ ଠଉରାଇ ନେଇଥାଆନ୍ତି।

ଚନ୍ଦକା ସିରିଜ୍‌ ଡକାୟତି ମାମଲା

ଘଟଣା ଦିନ ଡକାୟତମାନେ ପ୍ରଥମେ ଛତାବର ଗାଁର ଲକ୍ଷ୍ମଣ ମହାରଣାଙ୍କ ଘରେ ପଶିଥିଲେ। ଗାଁ ମୁଣ୍ଡରେ ଗହୀରକୁ ଲାଗି ରହିଥିବା ଏହି ଗୋଟିକିଆ ଘରର ଛାତଉପରୁ ସିଡ଼ି ଘର ଦେଇ ସେମାନେ ୫ ଜଣ ଭିତରକୁ ପଶିବା ପରେ ଲକ୍ଷ୍ମଣଙ୍କ ଶୋଇବା ଘରକୁ ବହାରୁ କିଳି ଦେଇଥିଲେ। ଦୁର୍ବୃତ୍ତମାନେ ଲକ୍ଷ୍ମଣଙ୍କ ପୁଅ ବୁଲୁକୁ ଏକ ରୁମ୍‌ରେ ବନ୍ଦ କରି ନବବଧୂ ମାଧୁରୀଙ୍କୁ ଖଣ୍ଡା ଦେଖାଇ ଦେଖାଇ ଭୟଭୀତ କରାଇଥିଲେ। ତାଙ୍କ ଦେହରୁ ମଙ୍ଗଳସୂତ୍ର, କାନଫୁଲ, ସୁନା କାଚ କାଢ଼ି ନେବା ସହ ଆଲ୍‌ମିରାରୁ ଗୋଟିଏ ସୁନା ହାର, ସୁନା ବାହୁଟି ୬ ପଟ ଓ ମୁଦି ଆଦି ଅଳଙ୍କାର ନେଇଥିଲେ। ପରେ ସେମାନେ ସେହିଠାରେ ବସି ମଦ ପଇଥିଲେ। ଏହା ପରେ ଡକାୟତମାନେ ପହଞ୍ଚିଥିଲେ ପଳାସପୁର ଗାଁରେ। ନୌସେନାରୁ ଅବସର ନେଇ ଗାଁ ମୁଣ୍ଡରେ ନୂଆ ଘର ଟିଏ କରଥିଲେ ଦେବରାଜ। ପ୍ରଥମେ ଡକାୟତମାନେ କବାଟକୁ ଧକ୍କା ମାରିବାରୁ ଭିତର ଖିଡ଼ିକି ଭାଙ୍ଗି ଯାଇଥିଲା। କବାଟ ଭାଙ୍ଗିବା ଶବ୍ଧରେ ଦେବରାଜଙ୍କ ସମେତ ପୁଅ ଦିଲ୍ଲୀପ, ସ୍ତ୍ରୀ ଜେମାମଣି ଓ ଝିଅ ରଶ୍ମିତା ଉଠି ପଡ଼ିଥିଲେ। ଡକାୟତମାନଙ୍କୁ ପ୍ରତିରୋଧ କରିବାରୁ ସେମାନେ ଠେଙ୍ଗା ଓ ଶାବଳରେ ମାଡ଼ ମାରି ସମସ୍ତଙ୍କୁ ଗୁରୁତର କରି ପକାଇଥିଲେ। ପରେ ଆଲ୍‌ମିରା ଭାଙ୍ଗି ଭିତରୁ ନଗଦ ୫ ଲକ୍ଷ ଟଙ୍କା, ଦୁଇଟି ହାର, ଗୋଟିଏ ଚେନ୍‌, ୨ପଟ ଚୁଡ୍‌, କାନଫୁଲ ୩ ହଳ, ୨ଟି ବଡ଼ ମୁଦି ଆଦି ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର