ଲୁଟେରା ଗ୍ୟାଙ୍ଗ୍‌ ଠାବ, ୩ ଗିରଫ ୫ ସୁନାହାର ଓ ସ୍କୁଟି ଜବତ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ପୁଲିସ ନିଦ ହଜାଇଥବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ ସ୍ପେସାଲ ସ୍କ୍ଵାଡ୍‌ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ପାଖାପାଖି ୫୦ଗ୍ରାମ ଓଜନର ୫ଟି ସୁନାହାର ଓ ଗୋଟିଏ ସ୍କୁଟି ଜବତ କରିଛି। ସେମାନେ ହେଲେ ଖୋର୍ଧା ଅଞ୍ଚଳର ରାଜକିଶେର ମୁଦୁଲି(୨୦), ନେପାଳର ରାଜକୁମାର ଠାକୁର ଓରଫ ନେପୁ ଓ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ସୋନି ନାଏକ(୨୮)। ତେବେ ଏଠାରେ ରାଜକିଶୋର ଏବଂ ସୋନି ବଡ଼ଗଡ଼ କେନାଲ ରୋଡ୍‌ ଅଞ୍ଚଳରେ ରହୁଥିବା ବେଳ ରାଜକୁମାର ଏୟାରଫିଲ୍‌ଡ ଥାନା ଅଞ୍ଚଳରେ ରହୁଥିଲା।

ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ରାଜଧାନୀର ରାଜପଥ ହୋଉ କି ଜନଗହଳିପୂର୍ଣ୍ଣ ସ୍ଥାନ କିମ୍ବା ମାର୍କେଟ ଆଦି ସ୍ଥାନରୁ ସୋନି, ରାଜକିଶୋର, ରାଜକୁମାର ଓ ସେମାନଙ୍କ ସହଯୋଗୀମାନେ ଲୁଟ୍‌ପାଟ୍‌ କରୁଥିଲେ। ଏ ନେଇ ବାରମ୍ବାର ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ପେସାଲସ୍କ୍ଵାଡ୍‌ ପୁଲିସକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଗତକିଛି ଦିନ ତଳେ ଧଉଳି ଥାନା ଅଞ୍ଚଳରୁ ଗ୍ୟାଙ୍ଗର ରାଜକୁମାରକୁ ଗଞ୍ଜେଇ ଚୋରାଚାଲାଣ କାରବାର ମାମଲାରେ ସ୍ପେସାଲସ୍କ୍ଵାଡ୍‌ ପୁଲିସ ଗିରଫ କରିଥିଲା। ସେହି ସମୟରେ ପୁଲିସ ତାଠାରୁ ଗ୍ୟାଙ୍ଗର ଡାଟା ନେଇଥିଲା। ସେବେଠାରୁ ସ୍ପେସାଲସ୍କ୍ଵାଡ୍‌ର ନଜରରେ ରହିଥିଲା ଏହି ଗ୍ୟାଙ୍ଗ। ଶନିବାର ବିଳମ୍ବିତ ରାତିରେ ଗ୍ୟାଙ୍ଗର ୪ଜଣ ମାର୍କେଟ ବିଲ୍‌ଡିଂ ଅଞ୍ଚଳର ଲୁଟ୍‌ ପାଇଁ ଯୋଜନା କରୁଥିବା ସ୍ପେସାଲସ୍କ୍ଵାଡ୍‌ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ସ୍କ୍ଵାଡ୍‌ର ଏକ ଟିମ୍‌ ସେଠାରେ ଛକି ବସିଥିଲା। ମାର୍କେଟ ବିଲ୍‌ଡଂ ରୋଡ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ୪ଜଣ ଲୁଟେରା ଦୁଇଟି ବାଇକ୍‌ରେ ପିଛା କରିଥିଲେ। କିଛିବାଟ ଯିବା ପରେ ଏକ ଅନ୍ଧାରିଆ ସ୍ଥାନରେ ଲୁଟ୍‌ ଉଦ୍ୟମ କରିଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ପୁଲିସ ସେମାନଙ୍କୁ ଘେରିଯାଇଥିଲା। ତେବେ ଜଣେ ଲୁଟେରା ପୁଲିସ କବ୍‌ଜାରୁ ଖସିଯାଇଥିଲେ ମଧ୍ୟ ପୁଲିସ ଅନ୍ୟ ୩ଜଣଙ୍କୁ ସେଠାରୁ ଗିରଫ କରିଥିଲା। କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି।ଲୁଟେରାମାନେ ଲୁଟ୍‌ ଟଙ୍କାରେ ଗଞ୍ଜେଇ ଚୋରା ଚାଲାଣରେ ଲଗାଉଥିଲେ। ଆଉ ଏହାର ମାଷ୍ଟରମାଇଣ୍ଡ ଥିଲା ସୋନି। କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀ ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ତେବେ ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ରାଜଧାନୀର ବିଭିନ୍ନ ଥାନାରେ ସୋନି, ରାଜକିଶୋର ଓ ରାଜକୁମାର ନାଁରେ ଚୋରି, ଲୁଟ୍‌୍‌, ମାରପିଟ୍‌ ଭଳି ଏକାଧିକ ଅପରାଧିକ ମାମଲା ରହିଛି। କ୍ୟାପିଟାଲ ଥାନାରେ ୨ଟି, ଲିଙ୍ଗରାଜ ଥାନାରେ ୨ଟି, ଖଣ୍ଡଗିରି ଓ ଧଉଳି ଥାନାରେ ଗୋଟିଏ ଲେଖାଏଁ ମାମଲା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର