ନିଶା ଦିଆ ଲୁଟେରାଙ୍କ ଟାର୍ଗେଟ୍‌ରେ ଟ୍ରେନ୍‌ଯାତ୍ରୀ

ଯୁବକଙ୍କୁ ଲୁଟ୍‌ କରି ରାସ୍ତାକଡ଼ରେ ଫିଙ୍ଗିଦେଲେ

ବାଲିପାଟଣା: ଏହି ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଛକର ଏକ ଦୋକାନ ବାରଣ୍ଡାରୁ ଆଜି ସକାଳେ ବାଲିପାଟଣା ଥାନା ପୁଲିସ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଛି। ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ନିଶା ଦେଇ ଲୁଟ୍‌ କରିବା ପରେ ତାଙ୍କୁ ଏଠାରେ ଫୋପାଡ଼ି ଦିଆଯାଇଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ଯୁବକଙ୍କ ନିକଟରୁ ଫୋନ୍‌ ନମ୍ବର ସଂଗ୍ରହ କରି ପୁଲିସ ତାଙ୍କ ଘର ଲୋକଙ୍କୁ ଯୋଗାଯୋଗ କରିଥିଲା। ତାଙ୍କ ଘର ନିଆଳି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତ ନଛିଗାଁ ବୋଲି ଜଣାପଡ଼ିଛି। ନାଁ ଅକ୍ଷୟ ବିଶ୍ୱାଳ(୪୧) ଓ ସେ କୋଣାର୍କ ଏକ୍ସପ୍ରେସ୍‌ରେ ମୁମ୍ବାଇରୁ ଫେରୁଥିଲେ। ଅକ୍ଷୟଙ୍କ ଭାଇ ଅଭୟ ପ୍ରଧାନଙ୍କ ସୂଚନା ମୁତାବକ ସେ ମୁମ୍ବାଇର ଏକ ଗଞ୍ଜି ଫ୍ୟାକ୍‌ଟ୍ରିରେ କାମ କରନ୍ତି। ଆଜି ଭୋର ପ୍ରାୟ ୪ଟାରେ ସେ ଭୁବନେଶ୍ୱର ଷ୍ଟେସନ୍‌ରେ ଓହ୍ଲାଇଥିଲେ। ସେହି ସମୟରେ ଜଣେ ଲୁଟେରା ତାଙ୍କ ସାଙ୍ଗେ ଟ୍ରେନ୍‌ଯାତ୍ରୀର ଅଭିନୟ କରିଥିଲା। ସେ ଟ୍ରେନ୍‌ରୁ ଓହ୍ଲାଇଛି ଓ ତା ଭାଇ ତାକୁ ବାଇକ୍‌ରେ ନେବାକୁ ଆସୁଛି ବୋଲି କହିଥିଲା। ତାଙ୍କ ଘର ନିଆଳି ବୋଲି କହି ଅକ୍ଷୟକୁ ତାଙ୍କ ସାଙ୍ଗେ ବାଇକ୍‌ରେ ଯିବା ପାଇଁ କହିଥିଲା। ଅକ୍ଷୟ ମନା କରିବା ସତ୍ୱେ ବି ସେମାନେ ଜିଦ୍‌ କରି ଅକ୍ଷୟଙ୍କୁ ବାଇକ୍‌ରେ ବସାଇ ଆଣିଥିଲେ। ବାଟରେ ଚା’ କି ପାନରେ ନିଶା ଦେଇ ତାଙ୍କଠାରୁ ୫ହଜାର ଟଙ୍କା,ଏକ ଦାମୀ ମୋବାଇଲ, ନୂଆ ଆଟାଜ୍‌, ବ୍ୟାଗ୍‌, ବାସନକୁସନ, ଲୁଗାପଟା ଆଦି ସବୁ ଜିନିଷ ଲୁଟି ନେଇ ବିଶ୍ୱନାଥପୁର ଛକରେ ଫୋପାଡ଼ି ଦେଇଥିଲେ। ଅକ୍ଷୟଙ୍କ ଅଣ୍ଟାକୁ ବି ଲୁଟେରାମାନେ ପିଟି ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଆଜି ରାତି ୮ଟା ପର୍ଯ୍ୟନ୍ତ ବି ଅକ୍ଷୟଙ୍କ ନିଶା କମି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର